ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିରରେ ପ୍େର୍ୱଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୨ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଏବଂ ନିୟମତାନ୍ତ୍ରିକ ଭାବରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନାହିଁ, ଯାହା ପୁରୀବାସୀଙ୍କ ମନରେ ଗଭୀର ନିରାଶା ସୃଷ୍ଟି କରିଛି।ସତ୍ୟାଗ୍ରହୀମାନେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଆରାଧ୍ୟ ଦେବତା। ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ପ୍ରତି ବୈଷମ୍ୟ ରହିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ସହ ସଙ୍ଗତିପୂର୍ଣ୍ଣ ନୁହେଁ।

ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବା ଦିଗରେ ବିଳମ୍ବ ହେବା ଦୁଃଖଦ ଏବଂ ଅନୁଚିତ। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଥିଲେ, “ହେ କାଳିଆ ସାଆନ୍ତ ! ସତ୍ୟ ଓ ନ୍ୟାୟର ପଥରେ ଆମର ବିଶ୍ୱାସ ଅଟୁଟ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ ଏବଂ ତୁମ ଦ୍ୱାରରେ ସମାନତାର ପରମ୍ପରା ପୁଣିଥରେ ପ୍ରତିଷ୍ଠିତ ହେଉ।ଶୁକ୍ରବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମାର୍କଣ୍ଡ ମହାନ୍ତି, ଅବନୀଶ ରଥ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ମମତା ଦାସ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ, ରୂପା ବେହେରା, ଭାରତୀ ମହାନ୍ତି, ନିହାରିକା ତ୍ରିପାଠୀ, ମମତା ସ୍ୱାଇଁ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ ସେନାପତି, ପ୍ରଦୀପ୍ତ କୁମାର ମହାନ୍ତି, ଲିଙ୍ଗରାଜ ସାହୁ, ଗଦାଧର ମହାରଣା, ଦୂର୍ଗାମାଧବ କର, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର କୌଣସି ବିଶେଷ ସୁବିଧା ନୁହେଁ; ଏହା ସେମାନଙ୍କ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅଧିକାର। ଏହି ଦାବିକୁ ଅଣଦେଖା କରିବା ପୁରୀବାସୀଙ୍କ ଭାବାବେଗ ଓ ଜଗନ୍ନାଥ ପରମ୍ପରା ପ୍ରତି ଅସମ୍ମାନ ସଦୃଶ। ସେ ଆହୁରି କହିଛନ୍ତି, “୧୨୨ ଦିନ ଧରି ଆମେ ନୀରବତା, ଅହିଂସା ଓ ସଂଯମର ପଥରେ ଚାଲୁଛୁ। ଆମର ଧୈର୍ଯ୍ୟକୁ ଦୁର୍ବଳତା ବୋଲି ବୁଝା ନଯାଉ। ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ, କିନ୍ତୁ ଅଧିକାର ହରଣ ବିରୋଧରେ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣଜାଗରଣ ଅବିରତ ଜାରି ରହିବ।
