ବାରିପଦା /ସାହାରପଡା ; କେନ୍ଦୁଝର ଜିଲ୍ଲା, ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ସେକ୍ସନ ଅନ୍ତର୍ଗତ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ବନ ବିଭାଗ ଖୋଳିଥିବା କାଦୁଅ ଗାତରେ ଫସି ଫସି ଯାଉଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଜଣେ ବ୍ୟକ୍ତି ହାତରେ ବାଡ଼ି ଧରି ହାତୀକୁ ଆଘାତ କରୁଥିବା ପରି ଦେଖାଯାଉଥିବା ବେଳେ, ଉପସ୍ଥିତ କିଛି ଲୋକ ତାଙ୍କୁ ବାରଣ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓର ସତ୍ୟତା ଓ ପରିସ୍ଥିତିର ତଦନ୍ତ ଦାବି କରାଯାଉଛି।
ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଓ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ବେଦନଶୀଳ ପରିସ୍ଥିତିରେ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରିବର୍ତ୍ତେ କିପରି ତାହା ନିକଟକୁ ଲୋକମାନେ ପହଞ୍ଚି ନିର୍ଯାତନା ଦେବାର ସୁଯୋଗ ପାଇଲେ, ସେନେଇ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ ପାଟଣା ରେଞ୍ଜର କିମ୍ବା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତି ନଥିବା ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ପାଟଣା ବନାଞ୍ଚଳ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇ ଏକ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବଦଳି ଆଦେଶ କାର୍ଯ୍ୟକାରୀ କାହିଁକି ହୋଇନାହିଁ ଏବଂ ଦାୟିତ୍ୱରେ ଅବହେଳା ସମ୍ପର୍କିତ ଅଭିଯୋଗ ଥିବା ସତ୍ତ୍ୱେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପ୍ରଶାସନିକ ପଦକ୍ଷେପ କାହିଁକି ନିଆଯାଇନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।
ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ପ୍ରତି ଅମାନବିକ ବ୍ୟବହାର ଅଭିଯୋଗର ସଠିକ୍ ତଦନ୍ତ, ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ, ହାତୀର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରକାଶ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେହିପରି, ଦାୟିତ୍ୱରେ ଅବହେଳା ଥିଲେ ସମ୍ପୃକ୍ତ ବନାଞ୍ଚଳ ଅଧିକାରୀଙ୍କ ବିରୋଧରେ ମଧ୍ୟ ଉଚିତ ପ୍ରଶାସନିକ ପଦକ୍ଷେପ ନେବାକୁ ଦାବି ଉଠିଛି।
ଏବେ ସମସ୍ତଙ୍କ ନଜର ରହିଛି ଡି.ଏଫ୍.ଓ ଙ୍କ ପଦକ୍ଷେପ ଉପରେ। ଘଟଣାର ପ୍ରକୃତ ସତ୍ୟ କଣ, ହାତୀକୁ କିପରି ଉଦ୍ଧାର କରାଗଲା, ଭାଇରାଲ ଭିଡିଓରେ ଦେଖାଯାଇଥିବା ଘଟଣାରେ କେଉଁମାନେ ସମ୍ପୃକ୍ତ ଏବଂ ବନ ବିଭାଗ ପକ୍ଷରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।
