ବାଲେଶ୍ୱର: ବିଜେଡି ଛାଡ଼ିଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶ୍ରୀ ଜେନା ପୂର୍ବରୁ ବିଜେଡିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ଇସ୍ତଫାପତ୍ରରେ ସେ ଦର୍ଶାଇଛନ୍ତି ଯେ, ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି। ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ୱରବାସୀଙ୍କ ସେବା କରିଆସିଛନ୍ତି। ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦଳ ସହ ତାଙ୍କର ଦୀର୍ଘ ଦିନର ସଂପର୍କ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଶ୍ରୀ ଜେନା ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ସାଧାରଣ ନିର୍ବାଚନରେ ଶ୍ରୀ ଜେନା ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କୁ ହରାଇ ବାଲେଶ୍ୱର ଆସନରୁ ଜିତିଥିଲେ। ଅନ୍ୟପକ୍ଷରେ ଶ୍ରୀ ଜେନାଙ୍କ ପତ୍ନୀ ସୁବାସିନୀ ଜେନା ବସ୍ତାର ବିଧାୟିକା ରହିଛନ୍ତି। ସେ ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ।
