ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜି–ବନମାଲ ମୁଖ୍ୟ ରାସ୍ତାରେ ସନ୍ଧ୍ୟା ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଗୁରୁତର ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ଜଣେ ଶିଶୁ ମଧ୍ୟ ଖଣ୍ଡିଆ ଖାବରା ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ ତୁର୍ଲା ଗ୍ରାମର ଅଶ୍ୱିନୀ ଭୋଇ (୨୮) ଓ ସୁମତି ଭୁଏ (୨୪), ଚାଉଳବାଞ୍ଜି ଗ୍ରାମର ବେଳମତି ବରିହା (୨୨) ଓ ସଞ୍ଜୁକ୍ତା ବରିହା (୨୫), ଏବଂ କୁଠୁର୍ଲା ଗ୍ରାମର ଦୀନବନ୍ଧୁ ବରିହା (୨୧) । ସୂଚନା ଅନୁସାରେ, ଦୁଇଟି ବାଇକ ବିପରୀତ ଦିଗରୁ ଆସୁଥିବା ସମୟରେ ହଠାତ୍ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ। ତେବେ ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ତିନିଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କରେ ଖପ୍ରାଖୋଲ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
