ବାରିପଦା /କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର କରଞ୍ଜିଆ ବ୍ଲକର ନେଢୁଆପାଳ ଗାଁରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ଫୁଲ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ନେଢୁଆପାଳ ଗାଁରେ ବହୁ ପରିମାଣର ମହୁଲ ଫୁଲ ଗଚ୍ଛିତ ରହିଥିବାର ସୂଚନା ପାଇବା ପରେ ଅବକାରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୋମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟ, ଓଆଇସି ରଶ୍ମି ରଞ୍ଜନ ନାୟକ, ଫୁଲମଣୀ ମୁର୍ମୁ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀଙ୍କ ସମନ୍ୱୟରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ପ୍ରଶାନ୍ତ ନାଏକଙ୍କ ଘରୁ ୧୩ କ୍ୱିଣ୍ଟାଲ ଏବଂ ଦେବେନ୍ଦ୍ର ନାଏକଙ୍କ ଘରୁ ୧୭ କ୍ୱିଣ୍ଟାଲ ମହୁଲ ଫୁଲ ଜବତ କରାଯାଇଥିଲା। ମୋଟ ୩୦ କ୍ୱିଣ୍ଟାଲ ମହୁଲ ଫୁଲ ଜବତ କରି ଉଭୟଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅବକାରୀ ଥାନାରେ କେସ୍ ନଂ–୮୯/୨୬ ଓ ୯୦/୨୬ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି ଚଢ଼ାଉ ଆଗକୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି।
