ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଉଥିବାବେଳେ ମହାନଦୀ ମଧ୍ୟ ଫୁଲିବାରେ ଲାଗିଛି । ଏଥିଯୋଗୁ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୫ଟି ଜିଲ୍ଲାର ୫୪ଟି ବ୍ଲକ୍ର ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୨୨୬ଟିରୁ ଅଧିକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ କେନ୍ଦୁଝରର ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଏସବୁ ମଧ୍ୟରେ ମହାନଦୀ ତଳମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀଠାରେ ମହାନଦୀରେ ୮.୫ ରୁ ୯ ଲକ୍ଷ କ୍ୟୁସେକ୍ ଜଳ ଆସି ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଉତ୍ତର ଓଡ଼ିଶାର ବିଭିନ୍ନ ନଦୀଗୁଡ଼ିକର ଜଳସ୍ତରର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଅବସ୍ଥାରେ ରହିଛି। ଆନନ୍ଦପୁରଠାରେ ବୈତରଣୀର ବିପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ଦିନ ୧୨ଟା ସୁଦ୍ଧା ଜଳସ୍ତର ୩୯.୪୮ ମିଟରରେ ରହିଛି। ସେହିପରି ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ବଦଳରେ ଜଳସ୍ତର ୨୦.୩୫ ମିଟର ଛୁଇଁସାରିଛି। ବୁଢ଼ାବଳଙ୍ଗଠାରେ ବିପଦ ସଂକେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୧୬ ମିଟରରେ ପ୍ରବାହିତ ହେଉଛି। ବସ୍ତା ମଥାନୀଠାରେ ଜଳକା ନଦୀର ବିପଦ ସଂକେତ ୬.୫୦ ମିଟର ଥିବାବେଳେ ଜଳସ୍ତର ୬.୫୧ ମିଟରରେ ରହିଛି। ସାଳନ୍ଦୀ ନଦୀର ଜଳସ୍ତର ୧୮.୭୦ ଫୁଟ୍ ଉପରେ ପ୍ରବାହିତ ହେଉଛି। ପାଣିର ପ୍ରବଳ ସ୍ରୋତ ଯୋଗୁଁ କେନ୍ଦୁଝର ଆନନ୍ଦପୁର ରିଂ ରୋଡ୍ ବନ୍ଧରେ ୩୦ରୁ ୫୦ ଫୁଟର ବଡ଼ ଘାଇ ସୃଷ୍ଟି ହୋଇଛି, ଯାହାଫଳରେ ସ୍ଥାନୀୟ ୫୦ରୁ ଉର୍ଦ୍ଧ୍ୱ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି। ସେହିପରି ଯାଜପୁରରେ ମଧ୍ୟ ଏକ ଛୋଟ ଘାଇ ହୋଇଥିବାବେଳେ ଯାଜପୁରର ଦଶରଥପୁର ସମେତ ଭଦ୍ରକର ଧାମନଗର ଓ ଚାନ୍ଦବାଲି ଅଂଚଳରେ ବନ୍ୟା ପାଣି ପ୍ରବେଶ କରିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି। ଅସ୍ଥାୟୀ ରିଲିଫ୍ କେନ୍ଦ୍ରଗୁଡ଼ିକରେ ରନ୍ଧାଖାଦ୍ୟ, ଶିଶୁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଗୋଖାଦ୍ୟ ଓ ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଉଛି। ରିଲିଫ କେନ୍ଦ୍ରକୁ ଆସିପାରି ନଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପଲିଥିନ ବଂଟନ କରାଯାଉଥିବା ଜଣାପଡ଼ିଛି। କ୍ଷେତ୍ରସ୍ତରରେ ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଅଗ୍ନିଶମ ଟିମ୍ ସହ ଏନଡିଆରଏଫ, ଓଡ୍ରାଫ ଓ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। କେନ୍ଦୁଝରରେ ପାଣି ନିଷ୍କାସନ କରୁଥିବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହି ସମସ୍ତ ବନ୍ୟା ସ୍ଥିତି ବାବଦରେ ଅବଗତ ହେଉଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି ଓ ସ୍ଥିତି ଏବେ ନିୟନ୍ତ୍ରଣଧୀନ ରହିଛି। ସ୍ଥିତି ଉପରେ ନଜର ରଖିବାକୁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ନଦୀବନ୍ଧ ପାଇଁ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି ଓ ସମ୍ବେଦନଶୀଳ ସ୍ଥାନରେ ପୁଲିସ ଓ ଅଧିକାରୀ ମୁତୟନ ଅଛନ୍ତି। ଯଦି କେଉଁଠି କ୍ଷତି ହେଉଛି ସାଙ୍ଗେ ସାଙ୍ଗେ ବାଲିବସ୍ତା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ,ମହାନଦୀରେ ମଧ୍ୟମ ଧରଣର ବନ୍ୟାଆସୁଛି। ଏବେ ହୀରାକୁଦରେ ୬୧୬ ଫୁଟ ଜଳସ୍ତର ଅଛି। ଦୁଇଟି ଗେଟ୍ ଦେଇ ପାଣି ଛଡ଼ାଯାଉଥିଲେ ବି ତେଲ ନଦୀ ବେସିନ୍ ସହ ବଲାଙ୍ଗୀର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ କାଲି ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ଆସିବ। ଫଳରେ ଶୁକ୍ରବାର ଦୟା ନଦୀ ଓ ମହାନଦୀର ତଳ ଅଂଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ। ବିଶେଷକରି ନିମାପଡ଼ା, କଣାସ, ଗୋପ, ଅସ୍ତରଙ୍ଗ ଅଂଚଳରେ ବନ୍ୟା ପାଣି ପଶିବ। ତେବେ ସାଳନ୍ଦୀରେ ଜଳପ୍ରବାହ କମିଛି ଓ ଭଦ୍ରକରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସୁଧୁରିବ। ଆନନ୍ଦପୁର ଓ ଯାଜପୁରରେ ହୋଇଥିବା ଛୋଟ ଘାଇଗୁଡ଼ିକ ପାଣି କମିଲେ ମରାମତି କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଚବିଶ ଘଣ୍ଟ ଖାଇ ସେ ତଳେ ପଡ଼ି ଯାଇଥିଲେ।ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
