ପୁରୀ: ଆଜି ପବିତ୍ର ନୀଳାଦ୍ରି ବିଜେ। ରଥଯାତ୍ରା ମହାପର୍ବର ଶେଷ ପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଶ୍ରୀମନ୍ଦିରକୁ ବିଜେ କରିବେ। ପରମ୍ପରା ଅନୁଯାୟୀ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପ୍ରେମ, କ୍ଷମା ଓ ସମ୍ପର୍କର ଏହି ଅନନ୍ୟ ପରମ୍ପରା ଜଗନ୍ନାଥ ସଂସ୍କୃତିର ଚିରନ୍ତନ ବାର୍ତ୍ତା ବହନ କରେ। ଏହି ପବିତ୍ର ଅବସରରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୧୮ତମ ଦିନରେ ପହଞ୍ଚିଛି। ଗତ ୧୧୮ ଦିନ ଧରି ଏହି ସତ୍ୟାଗ୍ରହରେ ନାହିଁ କୌଣସି ସ୍ଲୋଗାନ, ନାହିଁ କୌଣସି କୋଳାହଳ, ନାହିଁ କୌଣସି ପ୍ରତିହିଂସାର ଭାଷା। କେବଳ ସତ୍ୟ, ଅହିଂସା, ନୀରବତା ଓ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତିକୁ ସାଥୀ କରି ପ୍ରତିଦିନ ପଦଯାତ୍ରା ଅବ୍ୟାହତ ରହିଛି। ଏହା ଆଉ କେବଳ ଏକ ଦାବିର ଆନ୍ଦୋଳନ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାର ଏକ ଆଧ୍ୟାତ୍ମିକ ଜନ ଆନ୍ଦୋଳନରେ ପରିଣତ ହୋଇଛି।

ନୀଳାଦ୍ରି ବିଜେର ପବିତ୍ର ଅବସରରେ ସତ୍ୟାଗ୍ରହୀ ଭକ୍ତମାନେ ନୀରବ ପ୍ରାର୍ଥନା କରି କହିଥିଲେ— “ହେ କାଳିଆ ସାଆନ୍ତ ! ତୁମେ ସମସ୍ତଙ୍କ ଆଶ୍ରୟ। ଆଜିର ଏହି ପବିତ୍ର ଦିନରେ ତୁମର କରୁଣାମୟ ଦୃଷ୍ଟି ସମଗ୍ର ବିଶ୍ୱ ସହ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପଡୁ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ତୁମ ଶ୍ରୀମନ୍ଦିରରେ କୌଣସି ଭକ୍ତ ଅବହେଳିତ କିମ୍ବା ବଞ୍ଚିତ ନହୁଅନ୍ତୁ। ସମସ୍ତଙ୍କ ହୃଦୟରେ ସମତା, ନ୍ୟାୟ, କରୁଣା ଓ ସେବାର ଭାବନା ଜାଗ୍ରତ ହେଉ। ‘ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର’— ଏହି ମହାମନ୍ତ୍ର ସମାଜର ପ୍ରତ୍ୟେକ କୋଣରେ ପ୍ରତିଧ୍ୱନିତ ହେଉ।” ସତ୍ୟାଗ୍ରହୀମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ସରକାର କିମ୍ବା ପ୍ରଶାସନ ବିରୋଧରେ ନୁହେଁ। ଏହା କେବଳ ଜଗନ୍ନାଥ ସଂସ୍କୃତିର ସମତାର ଆଦର୍ଶକୁ ସୁରକ୍ଷିତ ରଖିବା, ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦର୍ଶନ ଅଧିକାରକୁ ସମ୍ମାନ ଦେବା ଏବଂ ଶ୍ରୀମନ୍ଦିରର ଚିରନ୍ତନ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାର ଏକ ଶାନ୍ତ, ସକାରାତ୍ମକ ଓ ଅହିଂସକ ପ୍ରୟାସ।

ସୋମବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ଅରୁଣା ପଟ୍ଟନାୟକ, ମମତା ସ୍ୱାଇଁ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ନୃସିଂହନାଥ ନାୟକ, ସନ୍ତୋଷ ସେନାପତି, ସୁବ୍ରତ କୁମାର ଦାଶ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିବ। ଏହା ସଂଘର୍ଷର ଭାଷା ନୁହେଁ, ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତନାଦ, ସତ୍ୟାଗ୍ରହର ସାଧନା ଓ ନ୍ୟାୟ ପାଇଁ ନୀରବ ପ୍ରାର୍ଥନା। ଶେଷରେ ନୀରବ ପଦଯାତ୍ରା ପୁଣିଥରେ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ମହାପ୍ରଭୁ ସମସ୍ତଙ୍କର। ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।
