ପୁରୀ: ପୁରୀଜିଲ୍ଲା ଚନ୍ଦନପୁର ପିଏମ୍ ଶ୍ରୀ କାତ୍ୟାୟନୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଚାଳିଶବାଟିଆ ପକ୍ଷରୁ ୨୭ତମ କାର୍ଗିଲ ବିଜୟ ଦିବସ ଅତ୍ୟନ୍ତ ଗରିମାମୟ ଓ ଦେଶାତ୍ମବୋଧକ ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧର ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦେଶପ୍ରେମ, ଶୃଙ୍ଖଳା ଓ ରାଷ୍ଟ୍ରସେବାର ବାର୍ତ୍ତା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଆଇଏନଏସ୍ ଚିଲିକାର ପ୍ରତିନିଧି ଲେଫ୍ଟନାଣ୍ଟ ଅମନ ତୋମର, ଭାରତୀୟ ନୌସେନାର ଅବସରପ୍ରାପ୍ତ ବୀର ସୈନିକ କାଳୀପ୍ରସାଦ ମିଶ୍ର,ସୁବେଦାର ମେଜର ଭାସ୍କର ପରିଡ଼ା, ଏନ୍?.ସି.ସି. ପ୍ରଶିକ୍ଷକ ହବିଲଦାର ଅନୁପ କୁମାର,ପୁରୀ ସମାଜସେବୀ ବୀରାଞ୍ଚି ନାରାୟଣ ମିଶ୍ର, ଏବଂ ଶିକ୍ଷାବିତ୍ ତଥା ବିଦ୍ୟାଳୟ ର ସର୍ବ ପ୍ରଥମ ପ୍ରଧାନଶିକ୍ଷକ ଚିନ୍ତାମଣି ତ୍ରିପାଠୀ, ଗାତିକୃଷ୍ଣ ମିଶ୍ର, ବିଦ୍ୟାଳୟ ଆଲୁମିନି ପ୍ରେସିଡେଣ୍ଟ ରାଜକିଶୋର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରେସିଡେଣ୍ଟ ଏବଂ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇ କାର୍ଗିଲ ବୀରମାନଙ୍କ ଶୌର୍ଯ୍ୟ, ତ୍ୟାଗ ଓ ରାଷ୍ଟ୍ରଭକ୍ତିର ଗାଥା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ପୁଷ୍ପମାଲ୍ୟାର୍ପଣ, ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ଏବଂ କାର୍ଗିଲର ଅମର ବୀରମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ଓ ନାଟକ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାବଦ୍ଧ ଜୀବନ, ନୈତିକ ମୂଲ୍ୟବୋଧ, ଦେଶପ୍ରେମ ଓ ରାଷ୍ଟ୍ରସେବାର ଆଦର୍ଶରେ ନିଜକୁ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତ ସମ୍ମାନିତ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସଶ୍ରଦ୍ଧ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପରେ ‘ଏକ ବୀର – ଏକ ବୃକ୍ଷ’ ବାର୍ତ୍ତାକୁ ସାକାର କରିବା ଉଦ୍ଦେଶ୍ୟରେ ସମସ୍ତ ସମ୍ମାନିତ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଙ୍କଳ୍ପ ଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଉତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ କାର୍ଗିଲ ବୀରମାନଙ୍କ ତ୍ୟାଗରୁ ପ୍ରେରଣା ନେଇ ଛାତ୍ରଛାତ୍ରୀମାନେ ଜଣେ ଦାୟିତ୍ୱବାନ ନାଗରିକ ହୋଇ ଦେଶ ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଲିପ୍ସାପ୍ରଜ୍ଞା ରଣା ଓ ମହାଲକ୍ଷ୍ମୀ ଦେବୀ ସୁନ୍ଦର, ସୁଶୃଙ୍ଖଳ ଓ ଭାବପୂର୍ଣ୍ଣ ଭାବେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
