ୱାଶିଂଟନ/ତେହେରାନ: ସପ୍ତମ ଦିନରେ ଯୁଦ୍ଧ । ହେଲେ ମୁଣ୍ଡ ନଇଁବାର ନାଁ ଧରୁନି ଇରାନ୍ । ଆମେରିକା ଓ ଇସ୍ରାଏଲ ବି ନଛୋଡ଼ବନ୍ଦା । ମହାଶକ୍ତି ଆମେରିକା ତୁଳନାରେ ଇରାନର ଶକ୍ତି ସୀମିତ ଏବଂ ଅସ୍ତ୍ରଭଣ୍ଡାର ବି ଦୁର୍ବଳ । ତଥାପି ନିଜ ବୁଦ୍ଧି ବଳରେ ଲଢ଼େଇ ଜାରି ରଖିବାକୁ ଚାହୁଁଛି ଇରାନ୍ । ଆମେରିକାର ମୁଣ୍ଡବିନ୍ଧା ସାଜିଲାଣି ଶସ୍ତା ଡ୍ରୋନ୍ । ଏପଟେ ରୁଷଠୁ ତେଲ କିଣାକୁ ନେଇ ପୁଣି ଆମେରିକା ଭାରତ ଉପରେ ବଡ଼ଭାଇପଣିଆ ଦେଖାଇବାକୁ ଚେଷ୍ଟା କରିଛି । ଇରାନୀ ଆତ୍ମଘାତୀ ଡ୍ରୋନ୍ ‘ଶାହେଦ୍’। ଗୋଟିଏ ଡ୍ରୋନ୍ ପାଇଁ ଖର୍ଚ୍ଚ ହୁଏ ମାତ୍ର ୨୦ ହଜାରରୁ ୫୦ ହଜାର ଡଲାର୍ । ଏଭଳି ବିସ୍ଫୋରକଡ୍ରୋନକୁ ଏକାଥରେ ଶହ ଶହ ସଂଖ୍ୟାରେ ଦାଗୀ ଦେଉଛି ଇରାନ୍ । ଅନ୍ୟପକ୍ଷରେ ୨୦ ହଜାର ଡଲାରର ଡ୍ରୋନ୍ ନଷ୍ଟ କରିବାକୁ ଆମେରିକାକୁ ଛାଡ଼ିବାକୁ ପଡ଼ୁଛି ୪୦ ଲକ୍ଷ ଡଲାରର ରକେଟ୍ ଓ ମିଜାଇଲ୍ । ୭ ଦିନ ଯୁଦ୍ଧରେ ୨ ହଜାରରୁ ଅଧିକ ଶାହେଦ୍ ଡ୍ରୋନ୍ ଛାଡ଼ିସାରିଲାଣି ଇରାନ୍ । ଯାହାର ମୁକାବିଲା ପାଇଁ ଆମେରିକାକୁ ପ୍ରତିଦିନ ଖର୍ଚ୍ଚ କରିବାକୁ ପଡୁଛି ପ୍ରାୟ ୧୦୦ କୋଟି ଡଲା।ର୍ ସ୍ଥିତି ଏପରି ହେଲାଣି ଯେ, ଡ୍ରୋନ୍ର ମୁକାବିଲା ପାଇଁ ୟୁକ୍ରେନ୍ର ସହାୟତା ଲୋଡ଼ିଛି ଆମେରିକା । ୟୁକ୍ରେନ ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି । କାମିକାଜି ଡ୍ରୋନ୍ ସହ ଏମିତି ମିସାଇଲ ବି ଛାଡ଼ୁଛି ଇରାନ୍ । ଏ ହେଉଛି ଖୋରାମସହର କ୍ଷେପଣାସ୍ତ୍ର, ଯାହାକି ଆକାଶମାର୍ଗରେ ୮୦ଟି ଛୋଟ ଛୋଟ ବୋମାରେ ପରିଣତ ହେଉଛି, ଆଉ ଆମେରିକୀୟ ସାମରିକ ଘାଟିରେ ଧ୍ୱଂସଲୀଳା ରଚୁଛି । ଆଉ ଏକ ରୋଚର ରଣନୀତି । ଶତ୍ରୁକୁଚକମା ଦେବା ପାଇଁ, ବିଭିନ୍ନ ସ୍ଥାନରେ ଏଭଳି ହେଲିକପ୍ଟର ଓ ଲଢ଼ୁଆ ବିମାନର ଚିତ୍ର ଆଙ୍କିଛି ଇରାନ୍ । ଯାହାକୁ ସତ ଭାବି ଲକ୍ଷ୍ୟଭେଦ କରୁଥିବାରୁ, ବ୍ୟର୍ଥ ଯାଉଛି ଆମେରିକା ଓ ଇସ୍ରାଏଲର ଦାମି ମିସାଇଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’ ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ ନ କରିଛି, ସେପର୍ଯ୍ୟନ୍ତ କୌଣସି ପ୍ରକାରର ଶାନ୍ତି ବୁଝାମଣା କରାଯିବ ନାହିଁ। ଟ୍ରମ୍ପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଇରାନ ଆତ୍ମସମର୍ପଣ କରେ, ତେବେ ସେଠାରେ ଏକ ନୂତନ ଏବଂ ଗ୍ରହଣୀୟ ନେତୃତ୍ୱ ଚୟନ କରାଯିବ। ଏହାପରେ ଆମେରିକା ଏବଂ ତାର ସହଯୋଗୀ ଦେଶମାନେ ମିଶି ଇରାନକୁ ଆର୍ôଥକ ଦୃଷ୍ଟିକୋଣରୁ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧ କରିବା ପାଇଁ କାମ କରିବେ। ଏହି ଅବସରରେ ସେ “ମେକ ଇରାନ ଗ୍ରେଟ ଏଗେନ” ର ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଟ୍ରମ୍ପଙ୍କ ଏହି କଠୋର ଆଭିମୁଖ୍ୟ ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡର ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ଅତିକ୍ରମ କରିଛି, ଯାହା ବିଶ୍ୱ ଅର୍ଥନୀତି ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଟ୍ରମ୍ପ ଇରାନର ପରବର୍ତ୍ତୀ ସୁପ୍ରିମ ଲିଡର ଚୟନ ପ୍ରକ୍ରିୟାରେ ନିଜର ଭୂମିକା ଚାହୁଁଥିବା ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆଲି ଖାମେନେଇଙ୍କ ପୁଅ ମୋଜତବା ଖାମେନେଇ ଏହି ପଦ ପାଇଁ ଆଦୌ ଯୋଗ୍ୟ ନୁହନ୍ତି। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଯଦି ନୂଆ ନେତା ପୁରୁଣା ନୀତିକୁ ଅନୁସରଣ କରନ୍ତି, ତେବେ ଆଗକୁ ପୁଣି ଯୁଦ୍ଧ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଶୁକ୍ରବାର ଇସ୍ରାଏଲ ବାୟୁସେନା ତେହେରାନରେ ଥିବା ଇରାନ ନେତୃତ୍ୱ କମ୍ପେ୍ଲକ୍ସ ଉପରେ ଭୟଙ୍କର ଆକ୍ରମଣ କରିଛି। ୫୦ଟି ଫାଇଟର ଜେଟ ଏହି ଅପରେଶନରେ ସାମିଲ ଥିଲେ। ୧୦୦ରୁ ଅଧିକ ବୋମାମାଡ଼ କରାଯାଇ ସୁପ୍ରିମ ଲିଡରଙ୍କ ପାଇଁ ନିର୍ମିତ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଛି। ଏହି ଆକ୍ରମଣ ଦ୍ୱାରା ଇରାନର କମାଣ୍ଡ ଏବଂ କଣ୍ଟୋଲବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।
