ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ଲଢ଼ୁଆ ବିମାନ ଗୁରୁବାର ଦିନ ରାଡାରରୁ ନିଖୋଜ ହୋଇଯାଇଛି। ଏହାର ସନ୍ଧାନ ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏସୟୁ-୩୦ ଏମକେଆଇ, ଯାହା ଏକ ୪.୫ ପିଢ଼ିର ବିମାନ, କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଏକ ଉଡ଼ାଣ କରୁଥିବା ସମୟରେ ସନ୍ଧ୍ୟା ୭ ଟା ସମୟରେ ନିଖୋଜ ହୋଇଯାଇଥିଲା। କିଛି ରିପୋର୍ଟ ଅନୁସାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ସ୍ଥାନୀୟ ଲୋକମାନେ ଏକ ଜୋରଦାର ବିସ୍ଫୋରଣ ମଧ୍ୟ ଶୁଣିଛନ୍ତି। ଏହାର ପାଇଲଟ୍ ମଧ୍ୟ ନିଖୋଜ ଅଛନ୍ତି। ଗୁରୁବାର ଦିନ ଏକ ସରକାରୀ ବିବୃତ୍ତିରେ ଭାରତୀୟ ବାୟୁସେନା କହିଛି ଯେ ଆସାମର ଜୋରହାଟରୁ ଉଡ଼ାଣ ଭରିବା ପରେ ଏକ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନଟି ଶେଷ ଥର ପାଇଁ ସନ୍ଧ୍ୟା ୭ଟା୪୨ରେ ଯୋଗାଯୋଗରେ ଥିଲା। କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ ଅଧିକ ବିବରଣୀ ଯାଞ୍ଚ କରାଯାଉଛି ଏବଂ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ସୁଖୋଇ ଏସୟୁ-୩୦ ହେଉଛି ଏକ ଦୁଇ-ସିଟ୍ ବିଶିଷ୍ଟ ୪.୫ ପିଢ଼ିର ବିମାନ। ଏହା ବ୍ରହ୍ମୋସକୁ ମଧ୍ୟ ନିକ୍ଷେପ କରିପାରେ।
