କୋଲକାତା,୫ା୩: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପଛର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାଜ୍ୟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କ ଇସ୍ତଫାକୁ ନେି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସ୍ଥାନରେ ତାମିଲନାଡ଼ୁ ରାଜ୍ୟପାଳ ତଥା ପୂର୍ବତନ ଡେପୁଟି ଏନଏସଏ ଆର.ଏନ. ରବିଙ୍କୁ ପଶ୍ଚିମବ୍ଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ବୋଷ ୨୦୨୨ ନଭେମ୍ବର ୧୭ ତାରିଖରେ ବଙ୍ଗଳା ରାଜ୍ୟପାଳ ଭାବରେ ନିଯୁକ୍ତ ପାଇଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, “ହଁ, ମୁଁ ଇସ୍ତଫା ଦେଇଛି। ମୁଁ ସାଢ଼େ ତିନି ବର୍ଷ ଧରି ବଙ୍ଗଳାର ରାଜ୍ୟପାଳ ରହିଆସିଛି; ଏହା ମୋ ପାଇଁ ଯଥେଷ୍ଟ।’ତେବେ ସେ ତାଙ୍କର ଅଚାନକ ଇସ୍ତଫାର କାରଣ ଏବଂ କୌଣସି ରାଜନୈତିକ ଚାପ ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି କି ବୋଲି ପ୍ରଶ୍ନରେ ସେ କିଛି କହିନଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରାଶା ପ୍ରକାଶ କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଯଦି ରାଜ୍ୟପାଳଙ୍କ ଉପରେ ଚାପ ପକାନ୍ତି ତେବେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ। “
