ପୁରୀ: ପୁରୀ ଜିଲ୍ଲାରେ ସାଇବର ଅପରାଧକୁ ରୋକିବା ଓ ଆର୍ôଥକ ଠକେଇ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ପୁରୀ ପୋଲିସ୍ ନିରନ୍ତର ଭାବେ ଅଭିଯାନ ଚାଲୁ ରଖିଛି। ଏହି ପରିପ୍ରେକ୍ଷିରେ ଗୁରୁବାର ଦିନ ପୁରୀ ସାଇବର ଥାନା ପକ୍ଷରୁ ଏକ ବିଶେଷ “ବେନାମୀ ଆକାଉଣ୍ଟ ଡ୍ରାଇଭ୍” ସଫଳତାର ସହିତ ଚଲାଯାଇଥିଲା। ଏହି ଅଭିଯାନ ସମୟରେ ତଦନ୍ତ କରି ପୋଲିସ୍ ତିନୋଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରିଥିବା ସହିତ ଏହା ସହ ଜଡିତ ତିନିଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଅହମଦ ଟୋପନ , ଅବଦୁଲ କଲାମ ଅଜ଼ାଦ , ଗ୍ରାମ ଅରୁଲପୁରମ , ବୀରାପଣ୍ଡୀ , ଜିଲ୍ଲା ତିରୁପପୁର , ରାଜ୍ୟ ତାମିଲନାଡୁ । ଅବଦୁଲ ଆଜିଜ଼ ଶେଖ (୩୮), ପିତା ଅବଦୁଲ କଲାମ ଶେଖ , ଗ୍ରାମ ଅମିତ୍ୟ , ପୋ ବେଣିପୁର, ରାଜ୍ୟ ପଶ୍ଚିମବଙ୍ଗ । ସୁଶାନ୍ତ କୁମାର ପରିଡା , ପିତା ବୀରେନ୍ଦ୍ର କୁମାର ପରିଡା , ଗ୍ରାମ ଶୋଭାରାମପୁର , ଥାନା ଟାଉନ , ଜିଲ୍ଲା ବାଲେଶ୍ୱର, ଓଡିଶା । ତଦନ୍ତରୁ ପ୍ରକାଶ ପାଇଛି ଯେ, ଏହି ତିନିଜଣ ଅଭିଯୁକ୍ତ ସାଧାରଣ ଲୋକମାନଙ୍କୁ କିଛି ଟଙ୍କାର ଲୋଭ ଦେଖାଇ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡ ନେଇଥାନ୍ତି। ପରେ ସେହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ସାଇବର ଠକେଇରୁ ଆସୁଥିବା ବେନାମୀ ଟଙ୍କାର ଲେନଦେନ କରାଯାଉଥିଲା। ଏହି ଅଭିଯୁକ୍ତମାନେ “ସ୍ପୀଡିଙ୍ଗ ଏକ୍ସଇମ ” ନାମରେ ଏକ କମ୍ପାନୀ ଗଠନ କରି ଏହି ଅବୈଧ କାର୍ଯ୍ୟକଳାପ ଚାଲାଉଥିବା ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି କମ୍ପାନୀର ମାଧ୍ୟମରେ ବିଭିନ୍ନ ବେନାମୀ ଆକାଉଣ୍ଟ ବ୍ୟବହାର କରି ବଡ ପରିମାଣର ଅବୈଧ ଟଙ୍କା ଲେନଦେନ କରାଯାଉଥିଲା।ଏସ୍ପି ପୁରୀ ପ୍ରତୀକ ସିଂ ଏହି ଘଟଣାକୁ ସାଇବର ଥାନାକୁ ଉଚିତ ତଦନ୍ତ କରିବା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶ ଅନୁସାରେ ସାଇବର ପୋଲିସ୍ ତଦନ୍ତ ଜୋରଦାର କରି ଏହି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବାରେ ସଫଳ ହୋଇଛି।ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ଏଟିଏମ କାର୍ଡ ୧୫ଟି,ସିମ୍ କାର୍ଡ ୬ଟି,ମୋବାଇଲ୍ ଫୋନ୍ ୭ଟି,ଚେକ ବୁକ୍ ୭ଟି ଜବତ କରାଯାଇଛି । ସେଥିସହ ଉକ୍ତ ସ୍ପୀଡିଙ୍ଗ ଏକ୍ସଇମ କମ୍ପାନୀ ସମ୍ବନ୍ଧୀୟ ସମସ୍ତ ଦଲିଲପତ୍ର ମଧ୍ୟ ପୋଲିସ୍ ଦ୍ୱାରା ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ମାଧ୍ୟମରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଏବଂ ପ୍ରାୟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅବୈଧ ଆର୍ôଥକ ଲେନଦେନ କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ ପୁରୀ ସାଇବର ଥାନାରେ ୭ଟି ବେନାମୀ ଆକାଉଣ୍ଟ ସମ୍ବନ୍ଧୀୟ ମାମଲା ରୁଜୁ ହୋଇଥିଲା। ଆଜିର ଅଭିଯାନ ପରେ ମୋଟ ୧୦ଟି ବେନାମୀ ଆକାଉଣ୍ଟ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲୁ ରହିଛି ଏବଂ ଏହା ସହିତ ଜଡିତ ଅନ୍ୟାନ୍ୟ ବ୍ୟକ୍ତି ଓ ନେଟୱର୍କକୁ ଚିହ୍ନଟ କରିବା ପାଇଁ ପୋଲିସ୍ ତଦନ୍ତକୁ ଆହୁରି ବ୍ୟାପକ କରିଛି। ପୁରୀ ପୋଲିସ୍ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, କୌଣସି ଅଜଣା ବ୍ୟକ୍ତିଙ୍କ ଲୋଭରେ ପଡ଼ି ନିଜର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ କାର୍ଡ କିମ୍ବା ମୋବାଇଲ୍ ସିମ୍ କାର୍ଡ କାହାକୁ ମଧ୍ୟ ଦିଅନ୍ତୁ ନାହିଁ। ଏପରି କାର୍ଯ୍ୟରେ ଜଡିତ ହେଲେ ସେଥିରୁ ଆପଣମାନେ ଆଇନଗତ ଜଟିଳତାରେ ପଡ଼ିପାରନ୍ତି। ସାଇବର ଅପରାଧ ବିଷୟରେ ସଚେତନ ରହିବା ସହ କୌଣସି ସନ୍ଦେହଜନକ ଘଟଣା ଦେଖିଲେ ତତ୍କ୍ଷଣାତ୍ ପୁରୀ ପୋଲିସ୍ କିମ୍ବା ସାଇବର ଥାନାକୁ ୮୨୮୦୪ ୯୧୩୦୦ ନମ୍ବର ମୋବାଇଲ ରେ ସୂଚନା ଦେବାକୁ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଉଛି।
