ପାଟନା: ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ରାଜ୍ୟସଭା ପଠାଯିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ନିଜର ମୁଖ୍ୟମନ୍ତ୍ରୀ ପାଇବାର ଆଶା ଉଜ୍ଜ୍ୱଳ ହେଉଛି। ଚଳିତ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରେ ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବରେ ସାମିଲ କରାଯିବାର ସମ୍ଭାବନା ରହିଛି। ସୂତ୍ର ଅନୁସାରେ ନୀତିଶ ମାର୍ଚ୍ଚ ୫ରେ ରାଜ୍ୟସଭା ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ଏନଡିଏ ବିଧାୟକଙ୍କୁ ଗୁରୁବାର ପାଟନାରେ ପହଞ୍ଚିବାକୁ କୁହାଯାଇଛି। ହିନ୍ଦୀ ଭାଷାଭାଷୀ ରାଜ୍ୟ ମଧ୍ୟରେ ବିହାର ଏକମାତ୍ର ରାଜ୍ୟ, ଯେଉଁଠାରେ ବିଜେପିର କେବେ ବି ନିଜର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି। ୭୫ ବର୍ଷୀୟ ନୀତିଶ ୧୦ ଥର ରେକର୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରେ ଜିତନରାମ ମାଞ୍ଝିଙ୍କୁ କେଇମାସ ପାଇଁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
