ଖପ୍ରାଖୋଲ: ମଦ ନିଶା ମଣିଷର ବିବେକକୁ କିପରି ନଷ୍ଟ କରିଦିଏ ଏବଂ ସାମାନ୍ୟ କଥାକୁ କିପରି ଜୀବନଘାତୀ ପରିସ୍ଥିତିରେ ପରିଣତ କରିଦିଏ, ତାହାର ଏକ ଉଦାହରଣ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବର୍ତ୍ତିଆ ଗ୍ରାମରେ ଦେଖିବାକୁ ମିଳିଛି। ମାତ୍ର କିଛି ଟଙ୍କାରେ ମଦ ପିଇବାର ନିଶା ଜଣେ ବ୍ୟକ୍ତିଙ୍କୁ ଏପରି ସ୍ଥିତିକୁ ନେଇଗଲା ଯେ, ସେ ଦେଶୀ ବନ୍ଧୁକ ଧରି ଅନ୍ୟ ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଖବର ପାଇ ଲାଠୋର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି। ସୂଚନା ଅନୁଯାୟୀ, ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିଆ ଗ୍ରାମର ଉଜ୍ଜ୍ୱଳ ନାଗ (୫୪) ମଙ୍ଗଳବାର ସକାଳେ ସେହି ଗ୍ରାମର ଲିଙ୍ଗରାଜ ନାଗଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କଠାରୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗି ନେଇଥିଲେ। ପରେ ସନ୍ଧ୍ୟାବେଳେ ସେ ପୁଣିଥରେ ଲିଙ୍ଗରାଜଙ୍କ ଘରକୁ ଆସି ମଦ ପିଇବା ପାଇଁ ଟଙ୍କା ଦାବି କରିଥିଲେ। ଲିଙ୍ଗରାଜ ଏହାକୁ ବିରୋଧ କରି ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। କିନ୍ତୁ ଉଜ୍ଜ୍ୱଳ ତାହା ନ ଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବଚସା ଉଗ୍ର ରୂପ ନେବା ପରେ ଉଜ୍ଜ୍ୱଳ ନାଗ ନିଜ ଘରକୁ ଯାଇ ଏକ ୬୫ ଏମ୍.ଏମ୍. ଦେଶୀ ବନ୍ଧୁକ ଆଣି ଲିଙ୍ଗରାଜ ନାଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘଟଣା ପରେ ବୁଧବାର ସକାଳୁ ଲିଙ୍ଗରାଜ ନାଗ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲାଠୋର ପୋଲିସ ତୁରନ୍ତ ବର୍ତ୍ତିଆ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଏକ ଦେଶୀ ସିଙ୍ଗଲ୍ ବୋର ବନ୍ଧୁକ ଓ ୩୦ ଗ୍ରାମ ବିଶିଷ୍ଟ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ଏହି ଘଟଣାରେ ଲାଠୋର ଥାନାରେ କେସ୍ ନଂ–୧୩୫/୨୦୨୬ ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତା (ଈଘଝ)ର ଧାରା ୩୩୩, ୨୯୬, ୩୫୧(୨), ୭୪, ୧୦୯(୧), ୩(୫) ସହ ଅସ୍ତ୍ର ଆଇନର ଧାରା ୨୫ ଓ ୨୭ ଅନୁଯାୟୀ ମାମଲା ଦାଖଲ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଲାଠୋର ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି। ମାମଲାର ତଦନ୍ତ ଏସ୍?.ଆଇ. ଶେଷଦେବ ସେଠ କରୁଛନ୍ତି। ଏହି ଘଟଣା କେବଳ ଏକ ଅପରାଧିକ ମାମଲା ନୁହେଁ, ବରଂ ସମାଜ ପାଇଁ ଏକ ସତର୍କ ସଙ୍କେତ। ମଦ ନିଶା ମଣିଷର ଚିନ୍ତାଶକ୍ତି, ସଂଯମ ଓ ମାନବିକତାକୁ କ୍ଷୟ କରି ତାଙ୍କୁ ଅପରାଧ ଆଡ଼କୁ ଠେଲି ଦେଇପାରେ। ସାମାନ୍ୟ କିଛି ଟଙ୍କା ପାଇଁ ଯଦି ଜଣେ ବ୍ୟକ୍ତି ବନ୍ଧୁକ ଧରି ଅନ୍ୟର ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ ହୋଇଯାଉଛନ୍ତି, ତେବେ ଏହା ନିଶାର ଭୟାବହ ପ୍ରଭାବକୁ ସ୍ପଷ୍ଟ କରୁଛି । ତେଣୁ ପରିବାର, ସମାଜ ଓ ପ୍ରଶାସନ ସମସ୍ତଙ୍କୁ ମିଳି ନିଶାମୁକ୍ତ ସମାଜ ଗଠନ ଦିଗରେ ଅଧିକ ସଚେତନତା ଓ ପଦକ୍ଷେପ ନେବା ସମୟର ଆବଶ୍ୟକତା।
