ପୁରୀ: ବାହୁଡା ଯାତ୍ରାର ପୂର୍ବ ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦିବ୍ୟ ସନ୍ଧ୍ୟା ଦର୍ଶନ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତି, ଆଧ୍ୟାତ୍ମିକତା ଓ ଅପାର ଶ୍ରଦ୍ଧାରେ ପରିପୂର୍ଣ୍ଣ ଏହି ପବିତ୍ର ପରିବେଶ ମଧ୍ୟରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୧୪ତମ ଦିନରେ ପହଞ୍ଚିଛି। ଲଗାତାର ୧୧୪ ଦିନ ଧରି କୌଣସି ସ୍ଲୋଗାନ, କୋଳାହଳ କିମ୍ବା ଉତ୍ତେଜନା ବିନା କେବଳ ଅହିଂସା, ସତ୍ୟାଗ୍ରହ, ନୀରବତା ଓ ଭକ୍ତିକୁ ଆଧାର କରି ଏହି ପଦଯାତ୍ରା ଅବ୍ୟାହତ ରହିଛି। ଏହା କେବଳ ଏକ ଦାବିର ଆନ୍ଦୋଳନ ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ସର୍ବଜନହିତ ଚିରନ୍ତନ ଦର୍ଶନକୁ ସୁରକ୍ଷିତ ରଖିବା ପାଇଁ ଏକ ଶାନ୍ତ, ଆଧ୍ୟାତ୍ମିକ ଜନ ଆନ୍ଦୋଳନର ପ୍ରତୀକରେ ପରିଣତ ହୋଇଛି।ଆସନ୍ତାକାଲି ପବିତ୍ର ବାହୁଡା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

ଏହାର ପୂର୍ବ ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ସନ୍ଧ୍ୟା ଦର୍ଶନ ଭକ୍ତମାନଙ୍କ ମନରେ ଅସୀମ ଆନନ୍ଦ ଓ ଆଧ୍ୟାତ୍ମିକ ଉଲ୍ଲାସ ଭରିଦେଇଥିଲା। ଏହି ପବିତ୍ର ମୁହୂର୍ତ୍ତରେ ପଦଯାତ୍ରାରେ ସାମିଲ ଭକ୍ତମାନେ ମହାପ୍ରଭୁଙ୍କ ଚରଣରେ ନୀରବ ପ୍ରାର୍ଥନା କରି କହିଥିଲେ— “ହେ କାଳିଆ ସାଆନ୍ତ ! ତୁମେ ସମସ୍ତଙ୍କର। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ତୁମ ଶ୍ରୀମନ୍ଦିରରେ ସମସ୍ତ ଭକ୍ତ ସମାନ ଅଧିକାର ଓ ସମାନ ସମ୍ମାନ ସହ ଦର୍ଶନର ସୁଯୋଗ ପାଆନ୍ତୁ।” ପଦଯାତ୍ରାରେ ସାମିଲ ଭକ୍ତମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ସତ୍ୟାଗ୍ରହ କୌଣସି ବ୍ୟକ୍ତି, ପ୍ରଶାସନ କିମ୍ବା ସରକାର ବିରୋଧରେ ନୁହେଁ। ବରଂ ଜଗନ୍ନାଥ ସଂସ୍କୃତିର ଚିରନ୍ତନ ବାର୍ତ୍ତା— “ଜଗନ୍ନାଥ ସମସ୍ତଙ୍କର, ସମସ୍ତେ ଜଗନ୍ନାଥଙ୍କର”କୁ ବ୍ୟବହାରିକ ରୂପରେ ସୁରକ୍ଷିତ ରଖିବା ପାଇଁ ଏହା ଏକ ଶାନ୍ତ, ଅହିଂସକ ଓ ସକାରାତ୍ମକ ପ୍ରୟାସ।ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଜିତେନ୍ଦ୍ର ନାରାୟଣ ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ସ୍ୱାଇଁ, ମନୋରଞ୍ଜନ ରଣସିଂହ, ନୃସିଂହନାଥ ନାୟକ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ପଦଯାତ୍ରା ଅବ୍ୟାହତ ରହିବ। ଏହା ସଂଘର୍ଷର ଭାଷା ନୁହେଁ; ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତି, ସତ୍ୟାଗ୍ରହର ସାଧନା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତ ପ୍ରାର୍ଥନା। ୧୧୪ ଦିନରେ ପଦାର୍ପଣ କରିଥିବା ଏହି ନୀରବ ପଦଯାତ୍ରା ପୁଣିଥରେ ଏକ ସନ୍ଦେଶ ଦେଇଛି— “ମହାପ୍ରଭୁ ସମସ୍ତଙ୍କର; ତେଣୁ ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।
