ବାଲିଗୁଡା: ଦିଲ୍ଲୀ, ଯନ୍ତର ମନ୍ତରରୁ ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ହଟାଇବା ଏବଂ ସେଠାରେ ଦୀର୍ଘ ଦିନ ଧରି ଚାଲୁ ରହିଥିବା ଆନ୍ଦୋଳନକୁ ବଳପୂର୍ବକ ପଣ୍ଡ କରିବା ପାଇଁ ଦିଲ୍ଲୀ ପୋଲିସର ଉଦ୍ୟମକୁ ଦୃଢ଼ ନିନ୍ଦା କରି ଆଜି ବାଲିଗୁଡ଼ା ଆଧିବାସୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
“ଗତ ଏକ ମାସରୁ ଅଧିକ ସମୟ ଧରି ଏନ୍ଟିଏ(NTA) ଦ୍ୱାରା ଘଟିଥିବା ପ୍ରଶ୍ନପତ୍ର ଲିକ୍ ଏବଂ ଦୁର୍ନୀତି ବିରୋଧରେ ଦେଶର ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ଅଭିଭାବକ ଓ ସାଧାରଣ ଜନତା ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଅବିରତ ଆନ୍ଦୋଳନ କରିଆସୁଛନ୍ତି।

ଆମର ଦାବି ହେଉଛି ସରକାର ଏହି ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦିଅନ୍ତୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦତ୍ୟାଗ କରନ୍ତୁ ଏବଂ ଏନ୍ଟିଏକୁ ଅବିଳମ୍ବେ ବିଲୋପ କରାଯାଉ। ଏହି ଦାବିଗୁଡ଼ିକୁ ନେଇ ସୋନମ ୱାଙ୍ଗଚୁକ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ହେଉଛି ଦେଶର ଛାତ୍ର ସମାଜ, ଅଭିଭାବକ ଏବଂ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ବଢ଼ୁଥିବା କ୍ଷୋଭର ଏକ ସ୍ପଷ୍ଟ ପ୍ରତିଫଳନ। ଗତ ୨୦ ଦିନ ଧରି ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅବନତି ଘଟୁଥିବାରୁ ଏହା ଦେଶର ସମସ୍ତ ସଚେତନ ନାଗରିକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ସେମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ଧ୍ୟାନ ଦେଇ ଆଲୋଚନା ଆରମ୍ଭ କରିବା ପରିବର୍ତ୍ତେ ସରକାର ସୋନମ ୱାଙ୍ଗଚୁକଙ୍କୁ ଆନ୍ଦୋଳନ ସ୍ଥଳରୁ ବଳପୂର୍ବକ ହଟାଇବାର ପଥ ବାଛିଛନ୍ତି।

ଏହି କାର୍ଯ୍ୟ କେବଳ ଅଗଣତାନ୍ତ୍ରିକ ନୁହେଁ, ବରଂ ନିଜ ଦେଶର ନାଗରିକଙ୍କ ପ୍ରତି ସରକାରଙ୍କ ସ୍ୱେଚ୍ଛାଚାରୀ ଓ ଅମାନବୀୟ ମନୋଭାବର ପରିଚୟ ଦେଉଛି। ଏଆଇଡିଏସଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ପୁଲିସ ପ୍ରଶାସନର ଏହି ପଦକ୍ଷେପକୁ ତୀବ୍ର ନିନ୍ଦା କରିବାସହ ଦେଶର ସମସ୍ତ ନାଗରିକଙ୍କୁ, ବିଶେଷକରି ଛାତ୍ର ସମାଜକୁ, ସାହସର ସହ ଆଗକୁ ଆସି ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଆହ୍ୱାନ ଦେଇଛି। ସରକାର ଭିନ୍ନମତର ସ୍ୱରକୁ ଦମନ କରିବା ବନ୍ଦ କରନ୍ତୁ ଏବଂ ସୋନମ ୱାଙ୍ଗଚୁକ ଓ ଆନ୍ଦୋଳନକାରୀଙ୍କ ସହ ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଏଆଇଡିଏସଓ ଦୃଢ଼ ଦାବି ଉପସ୍ଥାପନ କରିଛି। ଆଜିକାର କାର୍ଯ୍ୟକ୍ରମରେ ଏଆଇଡିଏସଓ ରାଜ୍ୟ କମିଟି ସଭ୍ୟ ପପୁନ ସାହୁ, ସମେତ ବହୁ ତରୁଣ ମଲ୍ଲିକ, ବର୍ଦ୍ଧେଶ ଶୁକମାଝି, ଦୁର୍ଯଧନ ମଲ୍ଲିକ ଏବଂ ଅନ୍ୟ ଛାତ୍ର ଉପସ୍ଥିତ ଥିଲେ।
