ପୁରୀ: ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହାକୁ କୁହାଯାଇଛି ‘ଅଗ୍ନି ଉତ୍ସବ’। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଆମ ଦେଶ ଭାରତବର୍ଷରେ ଫାଲ୍ଗୁନ ପୂର୍ଣ୍ଣିମାରେ ହୋଲିକା ଦହନ’ ନାମରେ ଏକ ପର୍ବ ପାଳିତ ହୁଏ। ଦଶହରା ପର୍ବର ‘ରାବଣ ପୋଡ଼ି’ ପରି, ଏହି ପର୍ବକୁ ମନ୍ଦ ଉପରେ ଭଲର ବିଜୟ ରୂପେ ଅଭିହିତ କରାଯାଏ। ‘ହୋଲିକା ଦହନ’ ଭଗବାନ ବିଷ୍ଣୁଙ୍କର ନୃସିଂହ ଅବତାରର ଏକ ଉପାଖ୍ୟାନ। ଦେ?ତ୍ୟରାଜ ହିରଣ୍ୟକଶିପୁର ଜ୍ୟେଷ୍ଠପୁତ୍ର ଥିଲେ ପ୍ରହ୍ଲାଦ। ସେ ଥିଲେ ବିଷ୍ଣୁଙ୍କର ପରମ ଭକ୍ତ। ସେଥିରେ କ୍ଷୁବ୍ଧ ହୋଇ ହିରଣ୍ୟକଶିପୁ ତାଙ୍କୁ ମାରି ପକାଇବା ପାଇଁ ନାନା ଉପାୟ କଲା। କିନ୍ତୁ, ଭଗବାନ ବିଷ୍ଣୁ ପ୍ରହ୍ଲାଦଙ୍କୁ ବାରମ୍ବାର ରକ୍ଷା କଲେ। ହିରଣ୍ୟକଶିପୁର ଭଉଣୀ ହେଉଛି ହୋଲିକା। ସେ ବର ପାଇଥିଲା, ଯେ ଅଗ୍ନି ତାକୁ ଦଗ୍ଧ କରି ପାରିବ ନାହିଁ। ତେଣୁ ହିରଣ୍ୟକଶିପୁର ନିର୍ଦ୍ଦେଶରେ ସେ ପ୍ରହ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କଲା। ମାତ୍ର ବିଷ୍ଣୁଙ୍କ କୃପାରୁ ?ହୋଲିକା ନିଜେ ଜଳିଗଲା ସିନା, ପ୍ରହ୍ଲାଦଙ୍କର କୌଣସି କ୍ଷତି ହେଲା ନାହିଁ। ଏଣୁ ମନ୍ଦ ଉପରେ ଭଲର ବିଜୟ ଉତ୍ସବ ଭାବରେ ଭାରତବର୍ଷର ଅନେକ ଅଞ୍ଚଳରେ ‘ହୋଲିକା ଦହନ’ ପର୍ବ ପାଳିତ ହୁଏ। ଏହାକୁ ‘ହୋଲି ଜଳାଇବା’ ମଧ୍ୟ କୁହାଯାଏ।ଶ୍ରୀମନ୍ଦିରରେ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ପାଳିତ ହେଉଥିବା ‘ମେଣ୍ଢାକୁଡ଼ିଆ ପୋଡ଼ି’ ଏହାଠାରୁ ଭିନ୍ନ। ‘ହୋଲିକା’ର ଓଡ଼ିଆ ନାଆଁ ହେଉଛି ‘ମେଷା’। ମେଷା ଏକ ଦୁଷ୍ଟା ରାକ୍ଷସୀ। ବସନ୍ତ, ହାଡ଼ଫୁଟି ଆଦି ବିସ୍ଫୋଟକ ରୋଗ ସୃଷ୍ଟି କରି, ସ୍ୱର୍ଗରାଜ୍ୟରେ ଦେବତାମାନେ ପାଳୁଥିବା ବସନ୍ତ ଉତ୍ସବରେ ସେ ବିଘ୍ନ ଘଟାଉଥିଲା। ସେଥିପାଇଁ ଦେବତାମାନେ ମର୍ତ୍ତ୍ୟରେ ଏହି ବସନ୍ତ ଉତ୍ସବ ପାଳନ କଲେ। ବ୍ରଜପୁରରେ ରାଧା, କୃଷ୍ଣ ଓ ଗୋପାଙ୍ଗନାମାନଙ୍କୁ ନେଇ ଏହି ଉତ୍ସବ ପାଳିତ ହେଲା। ମାତ୍ର ମେଷା ମର୍ତ୍ତ୍ୟକୁ ମଧ୍ୟ ଆସି, ନାନା ବିସ୍ଫୋଟକ ରୋଗ ସୃଷ୍ଟି କରି, ସେହି ଉତ୍ସବକୁ ପଣ୍ଡ କଲା। କୃଷ୍ଣ ତାହା ଜାଣି, ପଞ୍ଚପାଣ୍ଡବ ଓ ଅନ୍ୟାନ୍ୟ ଦେବତା ଓ ଋଷିଙ୍କୁ ଘେନି ଚର୍ଚ୍ଚରୀ ଯାତ୍ରା ଆରମ୍ଭ କଲେ। ଚର୍ଚ୍ଚରୀ ବା ଚାଚେରୀ ହେଉଛି ନଗର ଭ୍ରମଣ ଉତ୍ସବ। ଏହି ଯାତ୍ରାରେ ବିଭିନ୍ନ ଭେଷଜ ଦ୍ରବ୍ୟରୁ ପ୍ରସ୍ତୁତ ଫଗୁ ବା ଫଗୁରେ ରଙ୍ଗ ଖେଳ ହୁଏ। ନଗରଭ୍ରମଣ ସମୟରେ ପବନରେ ଫଗୁ ବିଞ୍ଚାଯାଏ।ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରା ବା ଚାଚେରୀଲୀଳାରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଶ୍ରୀଦୋଳଗୋବିନ୍ଦ ଚାଚେରୀ ଭ୍ରମଣ କରିଥାଆନ୍ତି। ଏଥିରେ ଫଗୁ ଖେଳାଯାଏ ଏବଂ ପବନରେ ଫଗୁ ଉଡ଼ାଯାଏ। ବିଭିନ୍ନ ଭେଷଜ ପଦାର୍ଥରୁ ପ୍ରସ୍ତୁତ ଏହି ଅବିର ବା ଫଗୁରେ ବସନ୍ତ ଓ ହାଡ଼ଫୁଟି ଆଦି ବିସ୍ଫୋଟକ ରୋଗର ପ୍ରତିରୋଧକ ଶକ୍ତି ଥାଏ। ବିଶ୍ୱାସ କରାଯାଏ, ଯେ ଏହା ଫଳରେ ମେଷା ତ୍ରସ୍ତ ହୋଇ ଆସି ଦୋଳମଣ୍ଡପ ନିକଟସ୍ଥ ତା’ର କୁଡ଼ିଆରେ ଲୁଚେ।
