ପୁରୀ: ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଭିତର କାଠ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଏନେଇ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦର୍ଶନକୁ ନେଇ ବିବାଦ ବଢ଼ିଥିଲା। ଫଳରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ହୋଇ ପାରି ନଥିଲା। ଯାହା ଦ୍ୱାରା ଶନିବାର ମହାପ୍ରସାଦ ୪ଘଣ୍ଟା ବିଳମ୍ବରେ ବାହାରିଛି। ଶନିବାର ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପରେ ଭକ୍ତମାନେ ମହାପ୍ରସାଦ ଟିକେ ପାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ଜଣାପଡ଼ିଛି। ପ୍ରାୟ ୪ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମହାପ୍ରସାଦ ବାହାରିଥିବା ସୂଚନା ମିଳିଛି। ସୂଚନା ମୁତାବକ,ଶନିବାର ଗୋବିନ୍ଦ ଦ୍ୱାଦଶୀ ଉପଲକ୍ଷେ ଶ୍ରଦ୍ଧାଳୁମାନେ ମହୋଦଧିରେ ସ୍ନାନ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ ପାଇଁ ଇଛା ପ୍ରକାଶ କରିଥାନ୍ତି। ହେଲେ ଶନିବାର ସେବାୟତଙ୍କ ଭିତର କାଠ ଦର୍ଶନକୁ ନେଇ ଅଡ଼ି ବସିବା ଯୋଗୁ ଭୋଗ ମଣ୍ଡପ ନୀତି ସମ୍ପନ୍ନ ହୋଇ ପାରି ନଥିଲା। ଫଳରେ ଭକ୍ତଙ୍କ ପାଇଁ ମହାପ୍ରସାଦ ବାହାରି ପାରିନଥିଲା। ଦିନ ୨ଟାରେ ବାହାରିବାକୁ ଥିବା ମହାପ୍ରସାଦ ଦୀର୍ଘ ୪ଘଣ୍ଟା ବିଳମ୍ବରେ ଅର୍ଥାତ ପ୍ରାୟ ୭ଟାରେ ବାହାରିଥିଲା। ପ୍ରଥମ ଭୋଗ ମଣ୍ଡପ ଭୋଗ ବାହାରିବାକୁ ୪ଘଣ୍ଟା ବିଳମ୍ବ ହେବା ଯୋଗୁ ଦ୍ୱିତୀୟ ଭୋଗ ମଣ୍ଡପ ବାହାରିବାକୁ ଅନେକ ସମୟ ବିଳମ୍ବ ହୋଇ ଥାନ୍ତା। ଫଳରେ ସୁଆର ମହାସୁଆର ସେବକମାନେ ଦ୍ୱିତୀୟ ଭୋଗମଣ୍ଡପ ଭୋଗକୁ ପ୍ରଥମ ଭୋଗ ମଣ୍ଡପ ଭୋଗରେ ମିଶାଇ ଦେଇଥିଲେ। ପ୍ରକାଶ ଥାଉକି,ଶୁକ୍ରବାର ନୀତି ବିଳମ୍ବ ଯୋଗୁ ରାତି ପ୍ରାୟ ୩.୨୦ରେ ବଡ଼ସିଂହାର ବେଶ ହୋଇଥିଲା। ଭୋର ୪ଟା ୩୦ରେ ରାତ୍ର ପହୁଡ଼ ହୋଇଥିଲା। ଫଳରେ ଶନିବାର ସକାଳ ୭ଟାରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ନୀତି ବିଳମ୍ବ ସହ ଭିତର କାଠ ଦର୍ଶନ ପାଇଁ ଦୁଇ ସେବାୟତଙ୍କ ମଧ୍ୟରେ ମହାପ୍ରଭୁ ସେବାରେ ମଧ୍ୟ ଦର୍ଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦୀର୍ଘ ୪ଘଣ୍ଟା ବିଳମ୍ବ ଯୋଗୁ ଅନେକ ଦଶାହ,ଶ୍ରାଦ୍ଧ,ବ୍ରତପନୋୟନ ଏବଂ ବିବାହରେ ମହାପ୍ରସାଦ ପାଇବାରେ ଅହେତୁକ ବିଳମ୍ବ ହୋଇଛି। ଫଳରେ ଅବଢ଼ା ବାହାରିବାକୁ । ବିଳମ୍ବକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ସେବାୟତଙ୍କ ଦର୍ଶନକୁ ନେଇ ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁ ଏଭଳି ଅଘଟଣ ବାରମ୍ବାର ଘଟୁଛି ବୋଲି ଜଗନ୍ନାଥପ୍ରେମୀ ସୂଚନା ଦେଇଛନ୍ତି।
