ପୁରୀ: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ୩୫ ତମ ରଥଯାତ୍ରା ଲୋକନୃତ୍ଯ ମହୋତ୍ସବ ରବିବାର ସଂଧ୍ଯାରେ ବଡଶଙ୍ଖ ଯୁବ ସାସ୍କୃତିକ ପରିଷଦ ପକ୍ଷରୁ ବଡଶଙ୍ଖ ଠାରେ ଉଦଘାଟିତ ହୋଇଯାଇଛି । ଉତ୍ସବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଲୀଳାମୟଙ୍କ ଲୀଳାକ୍ଷେତ୍ର । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ଏହି ମହୋତ୍ସବ ଅତି ସୁନ୍ଦର ଓ ଉଚକୋଟିର କାର୍ଯ୍ୟକ୍ରମ । ଶ୍ରୀବିଗ୍ରହଙ୍କ ଆଡପ ଦର୍ଶନ ଓ ଆଡପ ଅଭଡା ପାଇ ଭକ୍ତମାନେ ଲୋକନୃତ୍ଯ ମହୋତ୍ସବରେ ଝୁମି ରହିବା ସହ ଭାବବିହ୍ୱଳ ହୋଇପଡିଛନ୍ତି । କଳାକାର ମାନେ ଧର୍ମ ଦାଣ୍ଡରେ ନୃତ୍ଯ ପରିବେଷଣ କରି ଧନ୍ଯ ହୋଇଛନ୍ତି । ଅନୁଷ୍ଠାନର ଏପରି ନିଆରା ପରମ୍ପରା ମହୋତ୍ସବକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉତ୍ସବରେ ସଭାପତିତ୍ୱ କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଗୌରହରି ପ୍ରଧାନ,ଉପଦେଷ୍ଟା ଭଗବାନ ସୁଆର, ରଜନୀକାନ୍ତ ଲେଙ୍କା ଓ ବିମଳକୃଷ୍ଣ ଦାସ,କାର୍ଯ୍ଯକାରୀ ଉପଦେଷ୍ଟା ରବି ନାରାୟଣ ପଣ୍ଡା ଓ ଅନିଲ କୁମାର ସାହୁ, ଉପସଭାପତି ଡକ୍ଟର ପ୍ରଧାନ ଧୀରେନ ରାୟ, ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ପଣ୍ଡା , ସାଂଗଠନିକ କମିଟି ଅଧ୍ୟକ୍ଷ ଆଲୋକ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କ ନିଖୁଣ ନୃତ୍ଯ ଓ ପାରମ୍ପରିକ କଳା ପ୍ରଦର୍ଶନ ହଜାର ହଜାର ଭକ୍ତଙ୍କ ସମ୍ମୁଖରେ ନୃତ୍ଯ ପରିବେଷଣ ଅତି ଉଚ୍ଚକୋଟିର ଓ ହୃଦୟସ୍ପର୍ଶୀ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବେଦପାଠ ଓ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା କଳାକାରଙ୍କ ସମେତ ସମାଜିକ, ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ସଫଳ ବ୍ଯକ୍ତିତ୍ୱ ମାନଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୁରୀର ନବ ପ୍ରତିଭା ଶ୍ରୀଜଗନ୍ନାଥ ମଙ୍ଗଳମ୍ ନୃତ୍ଯ, ଟିଟିଲାଗଡ କ୍ଲାସିକ ଏଣ୍ଟରଟେନମେଣ୍ଟ ଡିଭିଜନ ପକ୍ଷରୁ ଡାଲଖାଇ ନୃତ୍ଯ ଓ କୋସଲି ଚଟନି ନୃତ୍ଯ, ପୁରୀର ପାରମ୍ପରିକ ଲୋକନୃତ୍ଯ ଖୋଲା ମୁଖା ମେଢ ନୃତ୍ଯ, ବାଡିଖେଳ, ବନାଟି ଖେଳ, ଖଣ୍ଡା ଚାଳନା ନୃତ୍ଯ ସମାରୋହ, ଗଞ୍ଜାମ ଭଞ୍ଜନଗର ପଶୁମୁଖା ନୃତ୍ଯ, ପୁରୀ ଶିଳ୍ପୀ ଏଣ୍ଟରଟେନମେଣ୍ଟ ଆମ ଓଡ଼ିଶା ଆମ ପରମ୍ପରା,କଟକ ସିଂଘମ୍ ଡ୍ଯାନ୍ସ ଏକାଡେମୀର ଓଡ଼ିଆ ଅସ୍ମିତା ନାଟ୍ଯ, ଅପରେସନ ସିନ୍ଦୁର ନାଟ୍ଯ, ଭଦ୍ରକର ଶ୍ରୀ ଗୋପାଳ ଲାଉଡି ଓ ଓଗଲା ଡ୍ଯାନ୍ସ ରିସର୍ଚ ସେଣ୍ଟର ଲଉଡି ନୃତ୍ଯ, ଖୋର୍ଦ୍ଧା ପାଇକ ଆଖଡା ସଂଘ ଦ୍ୱାରା ପାଇକ ଆଖଡା ସମାରୋହ,ପୁରୀ ଶ୍ରୀକୃଷ୍ଣ କଲଚରାଲ ଶିବ ତାଣ୍ଡବ, ଭବାନୀପାଟଣାର ସୁର ସଙ୍ଗୀତ ଗ୍ରୁପ କଳାକାରଙ୍କ ଦ୍ୱାରା ପଶ୍ଚିମ ଓଡିଶା ଲୋକଗୀତ ଓ ଲୋକସଙ୍ଗୀତ ପରିବେଷଣ କରାଯାଇଥିଲା । ନୃତ୍ଯରେ ଦୁଲୁକିଥିଲା ମଞ୍ଚ । ରଙ୍ଗୀନ ଆଲୋକର ଝଲମଲରେ ଆକର୍ଷିତ ମଞ୍ଚ ଝଲସୁଥିଲା । ହଜାର ହଜାର ଭକ୍ତ, ତୀର୍ଥଯାତ୍ରୀ ପର୍ଯ୍ୟଟକ ଓ ଦର୍ଶକ ନୃତ୍ଯ ଦେଖି କରତାଳି ଦେବା ସହ ମନ୍ତ୍ରମୁଗ୍ଧ ହୋଇପଡିଥିଲେ । ସଂଗଠନ ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ,ସାଂସ୍କୃତିକ ସମ୍ପାଦକ ଶେଷଦେବ ସାହୁ, ସାସ୍କୃତିକ ସହ ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ,ଯୁଗ୍ମ ସଂପାଦକ ରାଜକିଶୋର ସାହୁ, ସଂଧ୍ଯାରାଣୀ ରଥ,କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରମେଶ ଚନ୍ଦ୍ର ଚୌଧୁରୀ,ରମେଶ ଚନ୍ଦ୍ର ମହାନ୍ତି,ନେତ୍ରାନନ୍ଦ ବିଶୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯା ଓ ସଦସ୍ଯ ମାନେ ସହଯୋଗ କରିଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶକ ମାନେ ଲୋକନୃତ୍ଯ ମହୋତ୍ସବକୁ ଉପଭୋଗ କରିଥିଲେ ।
