ପୁରୀ: ଆଷାଢ ଶୁକ୍ଳ ଦ୍ୱିତିୟା ତିଥିରେ ରତ୍ନବେଦୀରୁ ଜନ୍ମ ବେଦୀକୁ ତିନିରଥ ଘର ଘର ନାଦ କରି ବଡଦାଣ୍ଡରେ ରଥ ଗଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ବଳଗଣ୍ଡି ଛକ ନିକଟସ୍ଥ ମା ମାଉସୀମାଙ୍କ ମନ୍ଦିର ଏବେ ଚଳଚଞ୍ଚଳ ହୋଇଉଠିଛି । ସକାଳୁ ସଂଧ୍ଯା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଜୟ ମା ମାଉସୀମା, ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଭକ୍ତ ମାନେ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ ମାଉସୀ ଘର । ମହାପ୍ରଭୁ ବାହୁଡ଼ାଦିନ ଫେରିଲାବେଳେ ଏଠାରେ ପୋଡପିଠା ଅର୍ପଣ କରାଯାଏ । ଲକ୍ଷାଧିକ ଭକ୍ତ ଏହି ଦୃଶ୍ଯ ଦେଖିବାକୁ ବ୍ଯାକୁଳ । ମାଙ୍କ ଦ୍ୱାରଫିଟା, ମଙ୍ଗଳଆଳତି ମଇଲମ ଅବକାଶ ଓ ବାଳଭୋଗ ପରେ ବିଭିନ୍ନ ନୀତିକାନ୍ତି ହୋଇ ସଂଧ୍ଯାରେ ଆଳତି ଓ ପଣା ଭୋଗ ପରେ ପହୁଡ ହେଉଛନ୍ତି । ମା ସୁଭଦ୍ରାଙ୍କ ମୁହଁ ଭଳି ମା ମାଉସୀମା ଦେଖାଯାଆନ୍ତି । ମା ମାଉସୀମାଙ୍କ ମହିମା ଅପାର । କଥିତ ଅଛି ମାଲିନୀ ନଦୀର ଗଣ୍ଡ ବଳଗଣ୍ଡି ଠାରେ ରହିଥିଲା । ଏହା ବଡଦାଣ୍ଡକୁ ଦୁଇଭାଗ କରିଥିଲା । ସେତେବେଳେ ରଥଯାତ୍ରାରେ ୬ଟି ରଥ ନିର୍ମାଣ ହେଉଥିଲା । ମା ଏକଥା ଜାଣିପାରି ମାଳିନୀ ନଦୀକୁ ଶୋଷି ଦେଇଥିଲେ । ସେଥିପାଇଁ ମାଙ୍କୁ ଅର୍ଦ୍ଧଶୋଷୀନୀ ବା ଅର୍ଦ୍ଧାଶିନୀ କୁହାଯାଏ । ମୁଖ୍ଯ ପୂଜକ ବିଶ୍ୱନାଥ ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ସହଯୋଗୀ ପୂଜକ ଭାବେ ଶୁଭେନ୍ଦୁ ତ୍ରିପାଠୀ, ଲିଙ୍ଗରାଜ ପଣ୍ଡା,ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମାଙ୍କ ନୀତି ସଂପାଦାନ କରୁଛନ୍ତି ।
