ଇନ୍ଦୋର: ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ସ୍କୁଲରେ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ସମୟରେ ଜଣେ ନାବାଳିକା ଏକ ଶିଶୁକୁ ଜନ୍ମ ଦେଇଛି। ମଙ୍ଗଳବାର ଦିନ ପିଥମପୁର ସେକ୍ଟର-୧ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଘରୋଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। ୧୭ ବର୍ଷୀୟା ଛାତ୍ରୀ ଜଣକ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଗଣିତ ପତ୍ର ଲେଖୁଥିବା ସମୟରେ ତୀବ୍ର ପେଟ ଯନ୍ତ୍ରଣା ଅନୁଭବ କରିଥିଲା। ଏହାପରେ ୱାସରୁମ୍ରେ ଏକ ଶିଶୁ ଜନ୍ମ ଦେଇଥିଲା। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସ ସେବାକୁ ଡାକି ଛାତ୍ରୀଜଣକୁ ନବଜାତ ସହିତ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ନବଜାତ ଶିଶୁଟିର ଓଜନ ଦୁଇ କିଲୋଗ୍ରାମ ଏବଂ ମା’ ଏବଂ ଶିଶୁଟି ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ପୋଲିସ କହିଛି। ଧାର ଅତିରିକ୍ତ ପୋଲିସ ଅଧୀକ୍ଷକ ପାରୁଲ ବେଲାପୁରକରଙ୍କ କହିବା ଅନୁଯାୟୀ, ଝିଅଟିର ପରିବାର ସଦସ୍ୟମାନେ ତାଙ୍କ ଗର୍ଭଧାରଣ ବିଷୟରେ ଜାଣି ନଥିଲେ। ଝିଅଟିର ବିବାହ ପୂର୍ବରୁ ସ୍ଥିର ହୋଇସାରିଥିବାରୁ ପରିବାର ସଦସ୍ୟମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଚରାଉଚରା ସମୟରେ ଛାତ୍ରୀଟି ପୋଲିସକୁ କହିଛି ଯେ ସେ ଗତ ଏକ ବର୍ଷ ଧରି ଜଣେ ପରିଚିତ ଯୁବକ ସହିତ ଶାରୀରିକ ସମ୍ପର୍କରେ ରହିଥିଲା। ଏ ନେଇ ପିଥମପୁର ସେକ୍ଟର-ୱାନ୍ ଥାନାରେ ଏକ ଶୂନ୍ୟ ଏଫ୍ଆଇଆର ରୁଜୁ ହୋଇଛି। ଯାହାକୁ ବେଟମା ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯିବ।
