ନୂଆଦିଲ୍ଲୀ : ଜିତିଲା ନ୍ୟୁଜିଲାଣ୍ଡ, ହାରିଲା ଶ୍ରୀଲଙ୍କା । କାନ୍ଦିଲାଣି ପାକିସ୍ତାନ । ସୁପର-୮ ମୁକାବିଲା ରୋମାଞ୍ଚକ ହେଉଥିବାବେଳେ ସେମିଫାଇନାଲ ଟିକେଟ ହାତେଇବାକୁ ସମସ୍ତ ଦଳ ନିଜର ପ୍ରୟାସ ଜାରି ରଖିଛନ୍ତି । ବୁଧବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ- ଶ୍ରୀଲଙ୍କା ମ୍ୟାଚରେ ପାକିସ୍ତାନର ସେମି ରାସ୍ତା ଏକପ୍ରକାର ବନ୍ଦ କରି ଦେଇଛି । ୬୧ ରନରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ପଏଣ୍ଟ ଟେବୁଲରେ ଏବେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ୨ ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ପାଇଛି । ନ୍ୟୁଜିଲାଣ୍ଡ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇଛି । ନ୍ୟୁଜିଲାଣ୍ଡ ନିଜର ଅନ୍ତିମ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ଇଂଲଣ୍ଡ ୪ ପଏଣ୍ଟ ପାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରି ଦେଇଛି । ନ୍ୟୁଜିଲାଣ୍ଡ ଏବେ ତିନି ପଏଣ୍ଟ ସହ ଭଲ ରନରେଟରେ ରହିଛି । ଶେଷ ମ୍ୟାଚରେ ଯଦି ଇଂଲଣ୍ଡକୁ ହରାଏ ତାହେଲେ ସେମିଫାଇନାଲରେ ପହଞ୍ଚିବ । ଯଦି ହାରିଯାଏ ତାହେଲେ ମଧ୍ୟ ସେମିଫାଇନାଲରେ ପହଞ୍ଚିବାର ଆଶା ଅଧିକ ରହିଛି । ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ନିଜର ଅନ୍ତିମ ମ୍ୟାଚ ଖେଳିବ । ଯଦି ପାକିସ୍ତାନ ହାରିଯାଏ ତାହେଲେ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚିବ । ଆଉ ପାକିସ୍ତାନ ଯଦି କମ ରନ ବ୍ୟବଧାନରେ ଶ୍ରୀଲଙ୍କାଠାରୁ ଜିତେ ତାହେଲେ ମଧ୍ୟ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚିବ । ସେପଟେ ଯଦି ଆଜିର ମ୍ୟାଚ ସମ୍ପର୍କରେ କହିବା ତାହେଲେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୮ ରନ କରିଥିଲା । ୧୬୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଶ୍ରୀଲଙ୍କା ୮ ୱିଟେ ବିନିମୟରେ ୧୦୭ ରନ କରିଥିଲା । ରଚିନ ରବିନ୍ଦ୍ର ୩୨ ରନ ସହ ୪ ୱିକେଟ ଅକ୍ତିଆର କରି ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଅଧିନାୟକ ମିଚେଲ ସାଣ୍ଟନର ଦଳ ପାଇଁ ସର୍ବାଧିକ ୪୭ ରନ କରିଛନ୍ତି । ଶ୍ରୀଲଙ୍କାର ବୋଲିଂ ଅପେକ୍ଷା ବୋଲିଂ ବହୁତ ଖରାପ ରହିଥିଲା । ବ୍ୟାଟ୍ସମ୍ୟାନମାନେ କିୱି ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଦଳ ପକ୍ଷରୁ ମେଣ୍ଡିସ ସର୍ବାଧିକ ୩୧ ରନ କରିଛନ୍ତି । ବାକି ଖେଳାଳି ବଡ଼ ପାଳି ଖେଳିବାରେ ବିଫଳ ହୋଇଥିବାବେଳେ ଦଳକୁ ଏକ ବଡ଼ ପରାଜୟ ବରଣ କରିବାକୁ ପଡ଼ିଛି । ଏହାସହ ସେମିଫାଇନାଲରୁ ବାଦ ପଡ଼ିଛି ଶ୍ରୀଲଙ୍କା ।
