ବାରିପଦା /କରଞ୍ଜିଆ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରଞ୍ଜିଆରେ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହେବା ପରେ ରାସ୍ତାରେ ମଦ୍ୟପ ଅବସ୍ଥାରେ ବିପଦଜନକ ଭାବେ ଯାନ ଚଳାଉଥିବା ଅନେକ ବ୍ୟକ୍ତିଙ୍କୁ ଦେଖି କରଞ୍ଜିଆ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପେଟ୍ରୋଲିଂ ଓ ଚେକିଂ ଅଭିଯାନ ଚାଲାଯାଇଥିଲା । ଏହି ବିଶେଷ ଅଭିଯାନରେ ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଉଥିବା ୮ ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କର ୮ଟି ମୋଟରସାଇକେଲକୁ ପୋଲିସ ଜବତ କରିଛି। ସୂଚନା ଅନୁସାରେ, ରଥଯାତ୍ରା ପରବର୍ତ୍ତୀ ସମୟରେ କିଛି ଯୁବକ ମଦ୍ୟପାନ କରି ରାସ୍ତାରେ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ଏହା ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବାରୁ କରଞ୍ଜିଆ ପୋଲିସ ତୁରନ୍ତ କଡ଼ା ପଦକ୍ଷେପ ନେଇଥିଲା। ପେଟ୍ରୋଲିଂ ସମୟରେ କେତେକ ଯୁବକ ଏତେ ମଦ୍ୟପ ଥିଲେ ଯେ ସେମାନେ ନିଜ ନିୟନ୍ତ୍ରଣରେ ନଥିଲେ। କେତେକଙ୍କୁ ରାସ୍ତା କଡ଼ରେ ମୋଟରସାଇକେଲ ସହ ପଡ଼ିଥିବା ଅବସ୍ଥାରୁ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ କରଞ୍ଜିଆ ଥାନାରେ ମୋଟ ୮ଟି ମାମଲା ରୁଜୁ କରାଯାଇଛି। ମାମଲା ନମ୍ବର ୨୭୧/୨୬ ରୁ ୨୭୮/୨୬ ପର୍ଯ୍ୟନ୍ତ ରହିଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ସମସ୍ତ ମଦ୍ୟପ ଚାଳକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ଜିମାରେ ଛାଡ଼ି ଦିଆଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ କୃଷ୍ଣନ ନାଏକଙ୍କ ନେତୃତ୍ୱରେ ଚାଲିଥିବା ବେଳେ କରଞ୍ଜିଆ ଥାନା ଅଧିକାରୀ ମୃସ୍ତ୍ଯଞ୍ଜୟ ପ୍ରଧାନଙ୍କ ସହ ଏସ୍ଆଇ ଭାରତୀ ବାରିକ, ଏସ୍ଆଇ ସୁଧାଂଶୁ ଶେଖର ସେଠୀ, ଏଏସ୍ଆଇ ସାଲଖାନ ହେମ୍ବ୍ରମ, ଏଏସ୍ଆଇ ସନ୍ତୋଷ ନାୟକ, ଏଏସ୍ଆଇ ଅମ୍ବିକା ମହାନ୍ତ ଓ ଏଏସ୍ଆଇ ଛବିଳକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ। ରଥଯାତ୍ରା ଭଳି ବୃହତ୍ ଧାର୍ମିକ ଉତ୍ସବ ପରେ ମଦ୍ୟପ ଅବସ୍ଥାରେ ଯାନ ଚଳାଇବା ଭଳି ବିପଦଜନକ କାର୍ଯ୍ୟ ବିରୋଧରେ କରଞ୍ଜିଆ ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି। ଏହା ଅନ୍ୟ ମଦ୍ୟପ ଚାଳକଙ୍କ ପାଇଁ ଏକ ସତର୍କ ବାର୍ତ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
