ସାହାରପଡା: କେନ୍ଦୁଝର ଜିଲ୍ଲା, ସାହାରପଡା ବ୍ଲକ,ବଡ଼ବିଲ ଗ୍ରାମ ପଞ୍ଚାୟତ ବାରତଣିଆଁ ଗ୍ରାମରେ ଜଣେ ୮ ବର୍ଷୀୟା ଦ୍ୱିତୀୟ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାରତଣିଆଁ ଗ୍ରାମର ଠାକୁର ମୁଣ୍ଡାଙ୍କ ପୁଅ କୃଷ୍ଣ ମୁଣ୍ଡା (୨୫)। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣକ ଘରେ ଏକୁଟିଆ ବସି ପାଠ ପଢ଼ୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ପ୍ରଲୋଭନ ଦେଖାଇ ଘର ନିକଟସ୍ଥ ଏକ କାଜୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ନାବାଳିକାଙ୍କୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ଜଙ୍ଗଲରେ ଠାବ କରିବା ସହ ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ବାପା ପାଟଣା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ସବ୍-ଇନ୍ସପେକ୍ଟର ଲକ୍ଷ୍ମଣ ମାଝୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପାଟଣା ଥାନା କେସ୍ ନଂ–୨୬୩/୨୦୨୬ ମୂଳେ ଏକ ମାମଲା ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତା ର ଧାରା ୬୫(୨) ଏବଂ ପୋକ୍ସୋ ଆଇନର ସମ୍ପର୍କିତ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଥିବା ବେଳେ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବାର ଜଣାଯାଇଛି ।
