ପୁରୀ: ମହାପ୍ରଭୁଙ୍କ ମହାନଯାତ୍ରା ରଥଯାତ୍ରା । ବ୍ରହ୍ମାଣ୍ଡ ଠାକୁର ବଡଦାଣ୍ଡରେ ବିଜେ କରିଛନ୍ତି । ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ । ଚକାଆଖି ସହ ଭକ୍ତର ଚର୍ମ ଆଖି ଦେଖି ହୋଇଛି ପବିତ୍ର । ଲୀଳାମୟଙ୍କ ଯାତ୍ରା ଲୀଳାରେ ଅନେକ ଘଟଣା ଘଟିଯାଇଛି । ରଥର ଚାରିପଟର ଘଟଣାବଳୀକୁ ନେଇ ରଥଯାତ୍ରା ରାଉଣ୍ଡଅପ । ସୁବାସିତ ସୁଗନ୍ଧିତ ପୁଷ୍ପରେ ରଥ ସଜା- ବିଳାସ ପ୍ରିୟ ଠାକୁର ଶ୍ରୀଜଗନ୍ନାଥ । ଯେଉଁ ରଥରେ ବିଜେ କରିବେ ସେହି ରଥ ମଧ୍ଯ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସୁଗନ୍ଧିତ ପୁଷ୍ପରେ ରଥ ସଜା ଯାଇଛି । ଭକ୍ତ ଏହି ସାଜସଜ୍ଜା ଦେଖି ବାରମ୍ବାର ପ୍ରଣିପାତ କରୁଥିବା ଦେଖାଯାଇଛି ।କର୍ଡନ ପାସ ଧାରି ଯଥା ପୂର୍ବଂ ତଥା ପରଂ- ଚଳିତବର୍ଷ ଅତି ପ୍ରଚାର କରାଯାଇଥିଲା ଯେ ଅଧିକ କର୍ଡନ ପାସ ଦିଆଯିବ ନାହିଁ । ବର୍ଷା ଯୋଗୁ ସକାଳୁ କମ ସଂଖ୍ୟକ କର୍ଡନ ପାସ ଧାରୀ ଯାଇଥିବା ବେଳେ ଦିନ ୧୧ଟା ପରେ କର୍ଡନ ଭିତରକୁ ଅଧିକ ଭକ୍ତ ପଶିଆସିଲେ ।

ସେବାୟତ ଓ ରାଜନେତାଙ୍କୁ ଅଧିକ ପାସ ଦିଆଯାଇ ଥିବାରୁ ଅଧିକ ସଂଖ୍ୟକ ପାସ ଧାରୀ କର୍ଡନ ଭିତରେ ବୁଲୁଥିବା ଦେଖାଯାଇଥିଲା ।ସାମ୍ବାଦିକ, ରାଜନେତା,ମଠ ମହନ୍ତ, ସ୍ୱେଛାସେବୀ, ଠିକାଦାର କର୍ଡନ ଭିତରେ ବୁଲୁଥିବା ଦେଖାଯାଇଥିଲା ।ସେଲଫି ଅଧିକ ଭକ୍ତି କମ- ରଥ କର୍ଡନ ଭିତରେ କେତେକ ଯୁବକ ଯୁବତୀ ଅଧିକ ସମୟ ସେଲଫି ଉଠାଉଥିବା ଦେଖିବାକୁ ମିଳିଥିଲା । ଜୟ ଜଗନ୍ନାଥ ଓ ହରିବୋଲ ନପକାଇ ସେଲଫି ନେଉଥିବା ପରିଲକ୍ଷିତ ହୋଇଥିଲା ।ଦେଉଳ ପାରାଙ୍କ ଲୋଟଣି ଖେଳ- ବଡ଼ଦେଉଳରେ ଥିବା ଦେଉଳ ପାରା ମହାପ୍ରଭୁଙ୍କୁ ନିଜ ଘରୁ ଯାଉଥିବା ଦେଖି ପାରାମାନେ ରଥ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ପାରା ରୋଷଘର ନିକଟ ମନ୍ଦିର ଚୂଳରୁ ଢେଉ ଖେଳିବା ପରି ଆସି ରଥ ନିକଟକୁ ଆସି ଲୋଟଣି ଖେଳ ଦେଖି ଭକ୍ତ କହୁଥିଲେ ମନ ପାରାରେ ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି ।ରଥ ସମ୍ମୁଖରେ ଓଡ଼ିଶୀନୃତ୍ୟ -ରଥ ସମ୍ମୁଖରେ ପ୍ରଭୁଙ୍କୁ ଭକ୍ତିର ଅର୍ଘ୍ୟ ଜଣାଇବା ପାଇଁ ଓଡ଼ିଶୀନୃତ୍ୟ ଶିଳ୍ପୀମାନେ ବର୍ଷା ସତ୍ତ୍ୱେ ଓଡ଼ିଶୀନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ବେଶଭୂଷା ସହ ବିଭିନ୍ନ ଭଙ୍ଗୀରେ ନୃତ୍ଯ ବେଶ ଆକର୍ଷଣ ଥିଲା ।ରଥ ଆଗରେ ହନୁମାନ ବେଶଧାରୀ- ପ୍ରଭୁ ଜୁଆଡେ ଭକ୍ତ ସିଆଡେ ।

ହନୁମାନ ବେଶଧାରଣ କରି ରଥ ଆଗରେ ନୃତ୍ଯ କରି ପ୍ରଭୁଙ୍କ ପାଖରେ ସମର୍ପିତ ହୋଇଥିଲା । ହନୁମାନ ନୃତ୍ଯ ପରିବେଷଣ କରି ନିଜକୁ ଧନ୍ଯ ମନେ କରିଥିଲା ବେଶଧାରୀ । ବିନା ଟାହିଆରେ ପହଣ୍ଡି- କାଳିଆର ପହଣ୍ଡିରେ ସମୟରେ ସିଂହଦ୍ୱାର ଅତିକ୍ରମ କରିବା ବେଳେ ଟାହିଆ ଲାଗି ନଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଭକ୍ତ ମନରେ ଅସନ୍ତୋଷ ଦେଖାଯାଇଥିଲା । ଟାହିଆ କିଏ ନେଲା କିଏ ଭାଙ୍ଗିଲା ତାକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ଭକ୍ତଙ୍କ ମନ ମୋହିଲା ମୟୁର ନୃତ୍ଯ- ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ରଥ ଆଗରେ ନୃତ୍ଯ କରିବା ପାଇଁ ମୟୁର ନୃତ୍ଯଶିଳ୍ପୀ ଯାତ୍ରାକୁ ଆସିଥିଲେ । ରଥ ସମ୍ମୁଖରେ ମୟୁର ନୃତ୍ଯ କରି ଭକ୍ତଙ୍କ ମନ ମୋହିଥିଲେ ।ରଥ ସମ୍ମୁଖରେ ବଡ ଧୂପକାଠି – ରଥ ସମ୍ମୁଖରେ ୧୦ ଫୁଟିଆ ସୁଗନ୍ଧିତ ଧୂପକାଠି ଜଳାଇ ଭକ୍ତ ହୋଇଥିଲା ଆନନ୍ଦିତ । ରଥାରୁଢ ଚାରିପଟେ ସୁଗନ୍ଧିତ ଧୂପ ବାସ୍ନାରେ ମହକୁଥିଲା ସିଂହଦ୍ୱାର । ଏତେ ବଡ ଧୂପ କାଠି ଦେଖି ଭକ୍ତ ମାନେ କହୁଥିଲେ ଏଠାରେ ସବୁ ବଡ ।ଛତାମୟ ବଡଦାଣ୍ଡ- ସକାଳୁ ଝିପି ଝିପି ବର୍ଷା ଲାଗି ରହିଥିଲା । ଭକ୍ତି ଆଗରେ ଝିପି ଝିପି ବର୍ଷାକୁ ଭକ୍ତ ଖାତିରି କରିନଥିଲା । ଅଧିକାଂଶ ଭକ୍ତ ଛତା ଧରି ଦର୍ଶନ କରୁଥିବା ବେଳେ ବର୍ଷା ମଧ୍ଯ ମଝିରେ ମଝିରେ ବଢୁଥିଲା ଓ କମୁଥିଲା । ଛତାଧରି ମଧ୍ଯ ଓଦା ହୋଇ ଭକ୍ତ ପ୍ରଭୁଙ୍କ ପାଇଁ ଭାବ ଭକ୍ତିରେ ବ୍ୟଗ୍ର ଥିଲା । ଶ୍ରୀକ୍ଷେତ୍ର ପାଲଟିଥିଲା ଛତାମୟ ଭକ୍ତ ।

ସାମ୍ବାଦିକ ହେଲେ କୋଣଠେସା-ଚଳିତବର୍ଷ ରଥଯାତ୍ରାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଣଠେସା କରିବା ଦେଖିବାକୁ ମିଳିଛି । ଫ୍ରଣ୍ଟ ଲାଇନରେ ବସୁଥିବା ସାମ୍ବାଦିକ ମାନେ ଏଥର ରଥପଛ ପଟେ ଷ୍ଟଲ କରାଯାଇ କୋଣଠେସା ନୀତିରେ ସାମ୍ବାଦିକ ମାନଙ୍କୁ ହତାଦର କରିଥିବା ଦେଖିବାକୁ ମିଳିଛି । ୧୮୦ ସାମ୍ବାଦିକ କର୍ଡନ ପାସ ନେଇଥିବା ବେଳେ ସାମ୍ବାଦିକ ଷ୍ଟଲରେ ୧୮ ଚେୟାର ପଡିଥିଲା । ଅନେକ ସାମ୍ବାଦିକ ଷ୍ଟଲ ଖୋଜିବା ପାଇଁ ବୁଲି ବୁଲି ହତାଶ ହୋଇଥିଲେ । କର୍ଡନରେ ପଶିବା ପାଇଁ ବିଭିନ୍ନ କାଇଦା କଟକଣା ଓ ଲୁହାବାଡ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେଲାପରେ ସାମ୍ବାଦିକ ମାନେ ଶୀଘ୍ର ବାହାରି ଯାଅ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ଡକାଯାଉଥିବା ଶୁଣିବାକୁ ମିଳୁଥିଲା । ବାଇ ଚଢେଇର କି ଜାଇ ବାଆ ପାଣି ଖାଇ ଝୁଲୁଥାଇ ନ୍ଯାୟରେ ମନ୍ତ୍ରୀ ଓ ଭିଆଇପି ମାନେ ଉଚ୍ଚ ମଞ୍ଚାରେ ମୁଭିଂ ଚେୟାରରେ ଝୁଲୁଥିବା ବେଳେ ସାମ୍ବାଦିକ ମାନେ ଓଦା ହୋଇ କାଯ୍ୟରତ ଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ବୁଦ୍ଧିଜୀବୀଙ୍କୁ ବେଥିତ କରିଛି । ଆଓ -ଭାତ ଡାଳମା ଖାଓ- ଲକ୍ଷାଧିକ ଭକ୍ତ ରଥାରୁଢ ପ୍ରଭୁଙ୍କୁ ଦେଖିବା ପାଇଁ ପୁରୀକୁ ସୁଅ ଛୁଟିଥିଲା । ରଥ ଦେଖିବା ମୋହରେ ଭକ୍ତ ସିଂହଦ୍ୱାର ଆଡକୁ ଯାଉଥିବା ସମୟରେ ବଳଗଣ୍ଡି ଛକରେ ମାଗଣା ରନ୍ଧା ଖାଦ୍ଯ ବଣ୍ଟନ କରୁଥିବା ଷ୍ଟଲ ଆଗରେ ଡାକୁଥିଲା ଆଓ ଭାତ ଡାଲମା ଖାଓ ଦର୍ଶନ କୁ ଯାଓ । ସେହି ଷ୍ଟଲ ଆଗରେ ଗହଳି ଲାଗିରହିଥିଲା ।
