ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। କୋଟି କୋଟି ଭକ୍ତଙ୍କ ଆନନ୍ଦ, ଆସ୍ଥା ଓ ଭାବାବେଗର ଦିନ। ଏହି ପବିତ୍ର ଅବସରରେ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୭ତମ ଦିନରେ ପହଞ୍ଚିଛି। ରଥଯାତ୍ରାର ଉଲ୍ଲାସ ମଧ୍ୟରେ ଏହି ପଦଯାତ୍ରା କୌଣସି ପ୍ରତିବାଦର ଭାଷା କହିନାହିଁ; ବରଂ ମହାପ୍ରଭୁଙ୍କ ଚରଣରେ ଜଣେ ଭକ୍ତର ଅଶ୍ରୁଭରା ପ୍ରାର୍ଥନା ହୋଇ ଉଭା ହୋଇଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ନୀରବ ଯାତ୍ରା ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚୁଛି। ୧୦୭ ଦିନର ଏହି ଅବିରତ ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ; ଏହା ଭକ୍ତି, ଆସ୍ଥା, ସମତା ଓ ଆତ୍ମସମ୍ମାନର ଏକ ନୀରବ ସାଧନା।

ଆଜି ଯେତେବେଳେ ମହାପ୍ରଭୁ ରଥରେ ବସି ନିଜ ଭକ୍ତଙ୍କ ନିକଟକୁ ଯାଉଛନ୍ତି, ସେତେବେଳେ ପଦଯାତ୍ରୀଙ୍କ ହୃଦୟରେ କେବଳ ଗୋଟିଏ ପ୍ରାର୍ଥନା — “ହେ ମହାପ୍ରଭୁ, ତୁମେ ଯେପରି ସମସ୍ତଙ୍କୁ ସମାନ ସ୍ନେହରେ ଆଲିଙ୍ଗନ କର, ସେହିପରି ତୁମ ଦ୍ୱାରରେ ମଧ୍ୟ କୌଣସି ଭକ୍ତ ନିଜକୁ ପର ବୋଲି ଅନୁଭବ ନକରୁ। ତୁମ ମନ୍ଦିର ସମସ୍ତଙ୍କର, ତୁମ କୃପା ସମସ୍ତଙ୍କ ପାଇଁ ସମାନ ହେଉ।ଜଗନ୍ନାଥ ସଂସ୍କୃତିର ମହାନ ବାର୍ତ୍ତା ହେଉଛି ସମତା, ସର୍ବଜନୀନତା ଓ ମାନବିକତା। ମହାପ୍ରଭୁଙ୍କ ରଥ କେବେ ଜାତି, ଧର୍ମ, ବର୍ଣ୍ଣ କିମ୍ବା ସମ୍ପଦର ଭେଦ ଦେଖେନାହିଁ। ସେ ସମସ୍ତଙ୍କ ପ୍ରଭୁ। ସେଥିପାଇଁ ଆଜିର ଏହି ନୀରବ ପଦଯାତ୍ରା ମଧ୍ୟ କେବଳ ଗୋଟିଏ ଆକୁଳ ପ୍ରାର୍ଥନା— ମହାପ୍ରଭୁଙ୍କ ଦ୍ୱାରରେ ମଧ୍ୟ ସେହି ସମତାର ଆଦର୍ଶ ସର୍ବଦା ଜୀବନ୍ତ ରହୁ। ୧୦୭ ଦିନର ଏହି ପଥରେ ଅସଂଖ୍ୟ ପଦଚିହ୍ନ ମାଟିରେ ମିଶିଯାଇଛି, କିନ୍ତୁ ପ୍ରତ୍ୟେକ ପଦକ୍ଷେପରେ ଜଳିଉଠିଛି ଗୋଟିଏ ଆଶାର ଦୀପ। ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନି ସହ ଭକ୍ତଙ୍କ ଆଖିର ଲୁହ, ହୃଦୟର ବିଶ୍ୱାସ ଓ ସମତାର ସ୍ୱପ୍ନ ମହାପ୍ରଭୁଙ୍କ ଚରଣରେ ସମର୍ପିତ ହୋଇଛି। ଏହି ଯାତ୍ରାର ଏକମାତ୍ର ସଙ୍କଳ୍ପ— ମହାପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ନିଜକୁ ଅବହେଳିତ କିମ୍ବା ପର ବୋଲି ଅନୁଭବ ନକରନ୍ତୁ।

ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ଜୁପିଟର ଦାସ, ଶିବସୁନ୍ଦର ମିଶ୍ର, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ମମତା ସ୍ୱାଇଁ, ବର୍ଷା ଦାଶ, ବନିତା ଦୀକ୍ଷିତ, ଗଦାଧର ମହାରଣା, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ରଞ୍ଜିତ ବେହେରା, ଲିଙ୍ଗରାଜ ସାହୁ, କାହ୍ନୁ ଚରଣ ପ୍ରଧାନ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ, ଏହି ଅଭିଯାନ କୌଣସି ବ୍ୟକ୍ତି କିମ୍ବା ବ୍ୟବସ୍ଥା ବିରୋଧରେ ନୁହେଁ। ଏହା ମହାପ୍ରଭୁଙ୍କ ଚରଣରେ ଜଣେ ଭକ୍ତର ନୀରବ ପ୍ରାର୍ଥନା। ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଏହି ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପଦଯାତ୍ରା ଅବ୍ୟାହତ ରହିବ। ଆଜି ରଥଯାତ୍ରାର ପବିତ୍ର ଦିନରେ ପଦଯାତ୍ରୀମାନଙ୍କ ଅନ୍ତରରୁ କେବଳ ଗୋଟିଏ ପ୍ରାର୍ଥନା ଉଠୁଛି ହେ କାଳିଆ ସାଆନ୍ତ ତୁମେ ଯେପରି ରଥରେ ବସି ସମସ୍ତଙ୍କ ପାଖକୁ ଆସୁଛ, ସେହିପରି ତୁମ ଦ୍ୱାରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ସମାନ ସ୍ନେହ, ସମାନ ସମ୍ମାନ ଓ ସମାନ ଅଧିକାର ମିଳୁ। ତୁମ ସମ୍ମୁଖରେ କେହି ବଡ଼ ନୁହେଁ, କେହି ଛୋଟ ନୁହେଁ। ତୁମେ ସମସ୍ତଙ୍କ ଜଗନ୍ନାଥ। ଆମର ଏହି ନୀରବ ପ୍ରାର୍ଥନା ତୁମ ଚରଣରେ ସମର୍ପିତ।
