ପୁରୀ: ମାରୁତି ସେନା ଓଡ଼ିଶା ସଂଗଠନ ଓ ପୁରୀଜିଲ୍ଲା ସଂଗଠନ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅବସରରେ ନିଶୁଳ୍କ ଖାଦ୍ୟ ବଣ୍ଟନ କରାଯାଇଛି। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଦିନ ସାରା ତୁହାକୁ ତୁହା ବର୍ଷା । ତଥାପି ଭକ୍ତ ଓ ଭଗବାନଙ୍କ ମହାମିଳନକୁ ବର୍ଷା ବାଧକ ସାଜି ପାରିଲାନାହିଁ । କାଳିଆ ଆଖିକୁ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହୋଇ ବଡଦାଣ୍ଡକୁ ଯାଉଥିବା ବେଳେ ପୁରୀ ଜିଲ୍ଲା ମାରୁତି ସେନା ସଂଗଠନ ପକ୍ଷରୁ ପୁରୁଣା ସଦରଥାନା ସ୍ଥିତ ମୁଖ୍ଯ କାର୍ଯ୍ଯାଳୟ ରାସ୍ତାରେ ଚାଲି ଚାଲି ଯାଉଥିବା ରଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ସେନାର ସଦସ୍ୟ ମାନେ ବର୍ଷାକୁ ଖାତିରି ନକରି ସେବା ଯୋଗାଇଥିଲେ ।

୧୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ, ଶ୍ରଦ୍ଧାଳୁ,ତୀର୍ଥଯାତ୍ରୀ, ପର୍ଯ୍ୟଟକ, ବାଟୋଇ ଓ ଯାତାୟାତ କରୁଥିବା ରଥଯାତ୍ରୀ ମାନଙ୍କୁ ଖାଦ୍ଯ ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ରଥଯାତ୍ରା ଅବସରରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରନ୍ଧା ଖାଦ୍ୟ ଖାଇ ଆନନ୍ଦିତ ହୋଇଥିଲେ । ବର୍ଷାରେ ଭିଜିଥିଲେ ମଧ୍ୟ ଛୋଟପିଲା ଠାରୁ ବୃଦ୍ଧବୃଦ୍ଧାଙ୍କ ସମେତ ଭିନ୍ନକ୍ଷମ ମାନେ ପେଟପୁରା ଖାଦ୍ୟ ଖାଇ ମହାପ୍ରଭୁଙ୍କୁ ଆଶୀର୍ବାଦ ବୋଲି କହିବା ସହ ସେନା ସଂଗଠନର ସଦସ୍ୟମାନଙ୍କୁ ଆଶୀର୍ବାଦ ଦେଇ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ସେବାରେ ମାରୁତି ସେନା ସଂଗଠନର ସମସ୍ତ ସଦସ୍ଯ ମାନେ ଏକତ୍ରିତ ହୋଇ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପିତ କରିଥିଲେ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ମାରୁତି ସେନା ସଂଗଠନ ପକ୍ଷରୁ ବିଭିନ୍ନ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେନା ସଂଗଠନର ସଦସ୍ୟ ମାନେ ସୂଚନା ପ୍ରଦାନ କରିଛନ୍ତି ।
