ଭୁବନେଶ୍ୱର: ବଜାରରୁ ଘରକୁ କିଣି ନେଉଥିବା ବ୍ରେଡ୍, ତେଲ, ଚକୋଲେଟ୍ ବି ନିମ୍ନ ମାନର । ଖୋଦ୍ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଛନ୍ତି ଏଭଳି ଆଖିତରାଟିଲା ଭଳି ତଥ୍ୟ । ଅସାଧୁ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ କେମିତି ବିପଦରେ ଖାଉଟି । ଅପମିଶ୍ରିତ ଖାଦ୍ୟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର – ତାଲିକାରେ ଅଛି ମସଲା ସାଙ୍ଗକୁ ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି, ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍, ସୋୟାବିନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକୋଲେଟ, ବ୍ରେଡ୍ ଓ ନୁଡୁଲ୍ସ ଭଳି ଅତି ଦରକାରୀ ଖାଦ୍ୟ ସମାଗ୍ରୀ । ଏପରିକି ୩୦ ଜିଲ୍ଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ତା’ର ମଧ୍ୟ ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟ ସରକାର ଅପମିଶ୍ରିତ ଖାଦ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଖାଦ୍ୟ ନିରାପତ୍ତା ଆୟୋଗଙ୍କ ଦ୍ୱାରା ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ସମସ୍ତ ଜିଲା ଏବଂ ପୌରପରିଷଦ ଅଞ୍ଚଳରେ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ନିୟମିତ ଭାବରେ ଚଢ଼ାଉ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ସବୁଠୁ ଚିନ୍ତାଜନକ କଥା ହେଲା ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର ଓ ମୟୂରଭଞ୍ଜରେ ବିକ୍ରି ହେଉଥିବା ହର୍ଲିକ୍ସ ବି ଅପମିଶ୍ରିତ । ଯାହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସାଧାରଣ ଖାଉଟି । ବଜାରରୁ କିଣୁଥିବା ଦ୍ରବ୍ୟ ଅସଲି କି ନକଲି ଜଣେ ସାଧାରଣ ଲୋକ ଜାଣିବ କେମିତି ? ତାହା ଏବେ ବଡ଼ ପ୍ରଶ୍ନ । କେଉଁଠି ନକଲି ସସ୍ ତ କେଉଁଠି ନକଲି ମସଲା ତିଆରିର ମାଳ ମାଳ ଚିତ୍ର ଆସୁଛି । ବର୍ଷ ତମାମ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ତେଣୁ ସରକାର ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତ କାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜନତା । ଏପଟେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଅତି ହାନୀକାରକ ବୋଲି ଦର୍ଶାଇଛନ୍ତି ଡାକ୍ତର । ସେହିପରି ବିଧାନସଭାରେ ଉପସ୍ଥାପିତ ଅନ୍ୟ ଏକ ଚିନ୍ତାଜନକ ତଥ୍ୟ କ୍ରମେ ଚଳିତ ବର୍ଷ ୨୯ଟି ପାଣି ନମୁନାରୁ ପରୀକ୍ଷା ପରେ ୮ଟି ଅହିତକର ବୋଲି ଜଣାପଡ଼ିଛି । ଗତ ୪ ବର୍ଷରେ ୬୮ଟି ନମୁନାରୁ ୧୮ଟି ଅସ୍ୱାସ୍ଥ୍ୟକର ବୋଲି ଜଣାପଡିଲା, ଯେଉଁଥିରୁ ୮ଟି ନମୁନା ଥିଲା ଅତି ନିମ୍ନ ମାନର ।
