ପୁରୀ: ରାତି ପାଇଲେ ରଥଯାତ୍ରା । ଭକ୍ତମାନଙ୍କ ସୁଅ ଛୁଟିଛି । କିନ୍ତୁ କାଳସାଜିଛି ଲଘୁଚାପଜନିତ ବର୍ଷା ।ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପୁରୀ ସହର ସମେତ ସଦର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଲଘୁଚାପଜନିତ ଲଗାଣ ବର୍ଷାରେ ବଡଦାଣ୍ଡ ସମେତ ସହର ତଳି ଅଞ୍ଚଳରେ ପାଣି ଜମିଥିବା ଦେଖାଯାଇଛି । ମଙ୍ଗଳବାର ସଂଧ୍ଯା ବର୍ଷା ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଲାଗିରାହିଛି । ରାତି ୧୨ଟାରୁ ଆରମ୍ଭ ହୋଇ ବୁଧବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ବଡଦାଣ୍ଡରେ ବର୍ଷା ପାଣିର ସୁଅ ଛୁଟିବା ସହ ପ୍ରବଳ ବର୍ଷାରେ ସହରର ଅଧିକାଂଶ ସ୍ଥାନରେ ଜଳମଗ୍ନ ହୋଇପଡିଛି । ଗୁରୁବାର ରଥଯାତ୍ରା ଏଥିପାଇଁ ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବର୍ଷାରେ ଭିଜି ଭିଜି ଏଣେତେଣେ ଯାଆଆସ କରୁଥିବା ଦେଖିବାକୁ ମିଳିଥିଲା । ଆଗରୁ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ବଡନାଳ ଗୁଡିକ ସଫେଇ କାର୍ଯ୍ୟ ସରିଯାଇଥିଲେ ମଧ୍ଯ ପାଣିର ସୁଅ ଛୁଟୁଛି । ବଡଦାଣ୍ଡ ନାଳ ସହ ସଂଯୋଗ କରୁଥିବା ବାଙ୍କିମୁହାଣ ନାଳ ଏବଂ ସାହି ନାଳ ଗୁଡିକ ଏପର୍ଯ୍ୟନ୍ତ ସଫା ହୋଇନଥିବାରୁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି କୁହାଯାଉଛି । ଆଗକୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିବା ପରେ ନିଷ୍କାସନ ପାଇଁ ପୌରସଂସ୍ଥା ପକ୍ଷରୁ ବିଧିବଦ୍ଧ ଯୁଦ୍ଧ କାଳୀନ ଭିତରେ ଯୋଜନା କରାଯାଇଛି ।ବର୍ଷାଜଳରେ ସହର ଉବୁଟୁବୁ ହେବାର ସମ୍ଭାବନା ରହିଛି । ମେଡିକାଲ ଛକ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡଦାଣ୍ଡରେ ପିଚୁ ପଡୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଠାଏ ଠାଏ ବର୍ଷାଜଳ ଦୀର୍ଘ ସମୟ ଧରି ଜମିରହୁଛି । ବର୍ଷା ଲାଗି ରହିଥିବାରୁ ସହରର ତଳି ଅଞ୍ଚଳ ବସ୍ତିରେ ପାଣି ଜମି ରହିବା ଯୋଗୁ ବାସିନ୍ଦାମାନଙ୍କ ସମସ୍ଯା ବଢିଯାଇଛି । ଖାଲଖମା ରାସ୍ତାରେ ବର୍ଷାଜଳ ଜମି ରହିବା ଯୋଗୁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହି ଗଳିକନ୍ଦିର ଉଭୟ ପାର୍ଶ୍ୱ ଛୋଟ ଛୋଟ ନାଳ ଗୁଡିକ କେତେକ ସଫେଇ କାର୍ଯ୍ୟ ସରିଥିବା ବେଳେ ଅଧିକାଂଶ ସାହିର ନାଳ ଗୁଡିକ ଏପର୍ଯ୍ୟନ୍ତ ସଫେଇ ହୋଇନଥିବାରୁ ବର୍ଷାଜଳ ରାସ୍ତାରେ ଜମୁଛି । ତୁହାକୁ ତୁହା ବର୍ଷା ଯୋଗୁ ସିଦ୍ଧମହାବୀର,ଭାରତୀପୁର, ସେନାପତି ବଗିଚା, କୁମୁଟିପାଟଣା, ଟିକରପଡା, ଗୁଣ୍ଡିଚା ବିହାର, ରାମଚଣ୍ଡୀ ବାଲିକୁଦ ବସ୍ତି, ସର୍ବୋଦୟ ନଗର,ମଧୁବନ, ମାଟିତୋଟା, ସୁଜାତାନଗର ସମେତ ଅବକାଶଲେନ,ରାୟବାହାଦୁର ଲେନ,ଷ୍ଟେସନ ଅଞ୍ଚଳ ବସ୍ତି ଓ ସାହି ମାନଙ୍କରେ ବର୍ଷାଜଳ ଜମୁଥିବାରୁ ଯାଆଆସ କରିବା ପାଇଁ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନଯାକ ବର୍ଷା ଲାଗି ରହିଥିବାରୁ ବଡଦାଣ୍ଡ ସମେତ ନବକଳେବର ରୋଡ, ଚକ୍ରତୀର୍ଥ ରୋଡ, ବଳିଆପଣ୍ଡା, ମଙ୍ଗଳାଘାଟ , ଭିଆଇପି ରୋଡ ଓ ବେଳାଭୂମି ରାସ୍ତାଘାଟରେ ଭକ୍ତ, ଶ୍ରଦ୍ଧାଳୁ ,ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନେ ବର୍ଷାରେ ଭିଜିଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଲୀଳା ଯୋଗୁ ଭକ୍ତ ମାନଙ୍କ ପାଇଁ ବାଧକ ସାଜିପାରିନି ବର୍ଷା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନିଶୁଳ୍କ ଖାଦ୍ଯ ସେବା ଯୋଗାଇ ଦେବା ପାଇଁ ଆସିଥିବା ଅନୁଷ୍ଠାନର କର୍ମକର୍ତ୍ତା ମାନେ ବର୍ଷା ପାଣିରେ ଯାଆଆସ କରି ସେବା ପାଇଁ ଆଗ୍ରହ ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ବଡଦାଣ୍ଡର ବର୍ଷାଜଳ ନିଷ୍କାସନ ପାଇଁ ପାଣି ପମ୍ପ ଲଗାଯାଇ ନିଷ୍କାସନ କରୁଛନ୍ତି । ବଡଦାଣ୍ଡରେ ପସରା ପକାଇଥିବା ସାମଗ୍ରୀ ହଇରାଣ ହରକତ ହେବା ସହ ମୁଣ୍ଡରେ ହାତଦେଇ ବସିଛନ୍ତି । ଜରି ଛତା ଧରି ଲୋକ ମାନେ ଯାଆଆସ କରୁଛନ୍ତି । କାଦୁଆ ପଚପଚ ସ୍ଥାନରେ ପାଣି ଜମବା ଯୋଗୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପୋଲିସ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ କର୍ମଚାରୀ ମାନେ ବର୍ଷାରେ କାର୍ଯ୍ଯରତ ଦେଖିବାକୁ ମିଳିଥିଲା । ଯଦି ଗୁରୁବାର ବର୍ଷା ଲାଗି ରହିବ ତାହାଲେ ରଥଯାତ୍ରାର ନୀତିକାନ୍ତି ଓ ରଥଟଣା ବାଧକ ସାଜିପାରେ ବୋଲେ ଆଲୋଚନା ହେଉଛି । ସାହି ଗଳିକନ୍ଦିର ପୁରୁଖା ଲୋକ ମାନେ କହୁଛନ୍ତି ଏଥର କାଦୁଆ ଗୁଣ୍ଡିଚାଯାତ୍ରା
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
