ଭଞ୍ଜନଗର: ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ନିକଟସ୍ଥ ବୁଢାକେନ୍ଦୁ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ନିକଟସ୍ଥ ଲୁଣିପଡା ଗ୍ରାମର ସାଗର ବିଷୋୟୀ (୨୬) ବୋଲି ଜଣାପଡିଛି । ସୂଚନା ପ୍ରକାରେ, ବୁଧବାର ଅପରାହ୍ନରେ ସାଗର ନିଜ ବାଇକ୍ ଯୋଗେ କୌଣସି ଏକ କାମରେ ବୁଢାକେନ୍ଦୁ ରାସ୍ତାଦେଇ ଯାଉଥିଲେ । ରାସ୍ତାରେ କୌଣସି ଏକ ଅଜଣା ଗାଡି ତାଙ୍କ ବାଇକ୍ କୁ ଧକ୍କା ଦେଇ ପଳାଇଥିଲା । ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ ।
