ପୁରୀ: ଦୋଳପୂର୍ଣ୍ଣିମା (ମାର୍ଚ୍ଚ ୩) ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତ୍ର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ ।? ପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ । ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ । ଭକ୍ତମାନେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିପାରିବେ ।
ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରୀପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ । ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ ।’
ବରାଦି ଭୋଗ କରାଯିବ ନାହିଁ
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ‘ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲାବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ । ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ମଧ୍ୟ ନେଇପାରିବେ । ତେବେ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କ ପାଇଁ ବରାଦି ଭୋଗ କରାଯିବନାହିଁ ।
ଫେବୃଆରୀ ୨୪ ରେ ଛତିଶା ନିଯୋଗ ବୈଠକ
ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ନେଇ ଆସନ୍ତା ୨୪ ତାରିଖରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମହାପ୍ରଭୁଙ୍କ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟର ଚୁଡାନ୍ତ ସମୟ ସାରଣୀ ନିର୍ଘଣ୍ଟ କରାଯିବ । ସେହିପରି ଆଗାମୀ ଦିନରେ ହେବାକୁ ଥିବା ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ।
