ନୂଆଦିଲ୍ଲୀ: ଆଫଗାନିସ୍ତାନର ତେହେରିକ-ଇ-ତାଲିବାନ(ଟିଟିପି)ର ସନ୍ଦିଗ୍ଧ ଆଡ୍ଡା ଉପରେ ରବିବାର ଭୋର ସମୟରେ ପାକିସ୍ତାନ ଲଢ଼ୁଆ ବିମାନରୁ ଘନଘନ ଆକ୍ରମଣ ହୋଇଛି। ପକଟିକା ପ୍ରଦେଶର ବରମାଲ ଜିଲ୍ଲାରେ ଏହି ଆକ୍ରମଣ ଯୋଗୁଁ ଅତି କମରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମାର୍ଗା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ବର୍ମାଲର ବାନୁସି ମାଦ୍ରାସାରେ ଏକ ଅଜ୍ଞାତ ବିମାନ ଦ୍ୱାରା କ୍ଷେପଣାସ୍ତ୍ର ମାଡ଼ କରାଯାଇ ଥିବା ସୂଚନା ମିଳିଛି। ପାକିସ୍ତାନ ବାୟୁସେନା ଏହି ଅଭିଯାନ ସମୟରେ ଏଫ୍-୧୬ ଲଢ଼ୁଆ ବିମାନ ଏବଂ ଜେଏଫ୍-୧୭ ଥଣ୍ଡର ବିମାନ ବ୍ୟବହାର କରିଥିଲା। କିଛିଦିନ ତଳେ ଇସଲାମାବାଦର ଏକ ଇମାମ ବାରଗାରେ ଆକ୍ରମଣ ଘଟଣା ଏବଂ ବାଜୌର ଏବଂ ବାନୁରେ ଆକ୍ରମଣ ସହ ଆତ୍ମଘାତୀ ବିସ୍ଫୋରଣ ଫିଟନା ଅଲ ଖ୍ୱାରିଜ ଗୋଷ୍ଠୀ ଏବଂ ସେମାନଙ୍କର ସହଯୋଗୀ ସଂଗଠନ, ଏବଂ ଇସଲାମିକ୍ ଷ୍ଟେଟ୍ ଖୋରାସାନ ପ୍ରଦେଶ ଦ୍ୱାରା କରାଯାଇଥିଲା ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏକ ସରକାରୀ ବିବୃତିରେ ଇସଲାମାବାଦ ଦାବି କରିଛି ଯେ ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ନେତୃତ୍ୱର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଆତଙ୍କବାଦୀମାନଙ୍କ ଦ୍ୱାରା କରାଯାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନର ଏହି ଆକ୍ରମଣ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଆଫଗାନିସ୍ତାନ। ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଗତ ରାତିରେ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନୀ ଆକ୍ରମଣ ଏକ ଧାର୍ମିକ ମଦ୍ରାସା ଏବଂ ବହୁ ଆବାସିକ ଘର ଉପରେ ଆକ୍ରମଣ କରିଛି, ଯେଉଁଥିରେ ମହିଳା ଏବଂ ଶିଶୁ ସମେତ ବହୁ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି।
