ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୮ ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆସନ୍ତା ଏପ୍ରିଲରୁ ଆରମ୍ଭ ହେବାର ସମ୍ଭାବନା ଅଛି। ଏ ନେଇ ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ଗୁରୁବାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛି। ଇସିଆଇ ତାଙ୍କ ଚିଠିରେ ଏସ୍ଆଇଆର ସହ ଜଡ଼ିତ ସମସ୍ତ ପ୍ରସ୍ତୁତି ଯଥାଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ ୨୦୨୬ରୁ ଆପାତତଃ ଏସଆଇଆର ଆରମ୍ଭ ହେବାକୁ ଯାଉଛି, ସେଥି ମଧ୍ୟରେ ରହିଛି ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳୀ ଏବଂ ଦାମନ ଏବଂ ଦିଉ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ, ଓଡ଼ିଶା, ପଞ୍ଜାବ, ସିକିମ, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ। ଏହି ମହାକାର୍ଯ୍ୟକୁ ସହଜ କରିବା ପାଇଁ ପୂର୍ବରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଉଚିତ ବୋଲି ନିର୍ବାଚନ ସଂସ୍ଥା ଗୁରୁତ୍ୱାରୋପ କରିଥିଲା। ନିର୍ବାଚନ କମିଶନ ଗତ ବର୍ଷ ଅକ୍ଟୋବରରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ କରିବା ପାଇଁ ଘୋଷଣା କରିଥିଲେ। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏସଆଇଆର ଅଧୀନରେ ଆସିଥିଲେ।
