ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରୁଛନ୍ତି । ତିନିଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରବିବାର ରଥ ନିର୍ମାଣର ୮୩ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦରଜି ସେବକ ମାନଙ୍କ ଦ୍ୱାରା କନା ଯୋଡଣି, ଦୁଆରବେଢା ଓ ଚନ୍ଦ୍ରଶାଳୀରେ ଚିକଣ ଫୁଲ ଓ ଜରିଲେସ କାମ ଶେଷ ହୋଇଛି । ଚିତ୍ରକାର ସେବକଙ୍କ ଦ୍ୱାରା ତିନିରଥର ଘୋଡାର ରଙ୍ଗକାର୍ଯ୍ଯ ଶେଷ ହୋଇଛି ।

ଶନିବାର ସୁଦ୍ଧା ତିନିରଥରେ ବ୍ରେକ ପୁଲି ସଂସ୍ଥାପନ କାର୍ଯ୍ୟ ସହ ଚିତ୍ରକାର ସେବକ ମାନେ ରଥ ବାହ୍ୟ ଅଂଶ ଗୁଡିକରେ ଚିତ୍ରି କାର୍ଯ୍ୟ ଏବଂ ଦରଜୀ ସେବକ ମାନଙ୍କ ଦ୍ୱାରା ତିନିରଥର କନା ସିଲେଇ କାର୍ଯ୍ୟ ଜାରୀ ରହିଥିଲା । ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ତିନିରଥକୁ କଳସ,ଓଲଟ ଶୁଆ ଏବଂ ଅଁଳା ଉଠି ରଥ ପୋଟଳ ଖପୁରୀରେ ସ୍ଥାପନ କରାଯାଇ କଣ୍ଟା ବସିବା କାର୍ଯ୍ୟ ସମ୍ପନ୍ନ ହୋଇଅଛି।ଚିତ୍ରକାର ସେବକ ମାନଙ୍କ ଦ୍ୱାରା ତିନିରଥର ବାହ୍ୟ ଅଂଶ ଗୁଡିକର ରଙ୍ଗ କାର୍ଯ୍ୟ ସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଦରଜୀ ସେବକ ମାନେ ତିନିରଥ ବତା କାନା କାର୍ଯ୍ୟ ଶେଷ କରି ରଥ ଉପରେ କାନା ପଡ଼ିବା ପାଇଁ କନା ଯୋଡଣି କାର୍ଯ୍ୟ ଶେଷ କରିବା ସହ ତିନିରଥର ଦୁଆର ବେଢା ଏବଂ ଚନ୍ଦ୍ର ଶାଳୀ ରେ ଚିକଣ ଫୁଲ ,ଜରୀ ଲେସ୍ ପକା କାର୍ଯ୍ୟ ଶେଷ କରିଛନ୍ତି ?ଏଥିସହ ତିନିରଥର ପୋଟଳ କାନା କଟିଙ୍ଗ ପରେ ସେଥିରେ ଚିକଣ ଜରୀ ଲେସ୍ କାର୍ଯ୍ୟ ଜାରୀ ରହିଥିବା ସହ,ତିନିରଥ ସାରଥି ପୋଷାକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତାକାଲି ତିନିରଥରେ କାନା ପଡ଼ିବା କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟ ଦରଜୀ ସେବକ ସୂଚନା ଦେଇଛନ୍ତି।ଦୋଳବେଦୀ ଅସ୍ଥାୟୀ କମାରଶାଳ ଠାରେ ଓଝା କମାର ସେବକ ମାନେ ତିନିରଥରେ କାନାପକା କାର୍ଯ୍ୟ ଏବଂ ଅଣସର ତାଟି କାଟିବା ଏବଂ ଚାର ବାନ୍ଧିବା ପାଇଁ କୋଠ ସୁଆଁସିଆ ସେବକ ମାନଙ୍କ ନିମନ୍ତେ ଛୁରୀ,କଟୁରୀ ଏବଂ ହାତୁଡ଼ି ଇତ୍ୟାଦି ସାଜ ସରଞ୍ଜାମ ନିର୍ମାଣ ଶେଷ କରିଛନ୍ତି।ପାହି ମହାରଣା ମାନେ ଦୋଳବେଦୀ ଠାରେ ରଥ ଯାତ୍ରା ପାଇଁ କାଠ ନିର୍ମିତ ସରଞ୍ଜାମ ଶେଷ ପରେ ରଥ ପ୍ରତିଷ୍ଠା ପାଇଁ ଆବଶ୍ୟକ କାଠ ନିର୍ମିତ ସାମଗ୍ରୀ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ଜଣ , ଭୋଇ ସେବକ ୭୬ଜଣ , କରତୀ ସେବକ ୪ଜଣ ,ରୂପକାର ସେବକ ୨୧ଜଣ ,ଓଝା କମାର ସେବକ ୨୦,ତୁମ୍ବ ବିନ୍ଧ କାରୀଗର ୨ଜଣ, ପାହି ମହାରଣା ୨ଜଣ, ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ।
