ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର ମହାମୁକାବିଲାରେ ପାକିସ୍ତାନକୁ ୬୧ ରନରେ ହରାଇଛି । ୧୧୪ରନ ରେ ଅଟକିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୧୭୫ ରନ କରିଥିଲା । ଇଶାନ କିଶନଙ୍କ ୭୭ ରନ ଇନିଂସ ବଳରେ ଭାରତ ଏହି ଚ୍ୟାଲେଞ୍ଜିଂ ସ୍କୋର କରି ପାରିଥିଲା । ବିଜୟ ସହ ଭାରତ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ରେ ପ୍ରବେଶ କରିଛି। ଭାରତ ଟି-୨୦ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ସବୁଠୁ ବଡ଼ ସ୍କୋର କରିଛି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୨ ରନ, ଶିବମ ଦୁବେ ୨୭ ରନ ଓ ତିଳକ ବର୍ମା ୨୫ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ୨୫ ରନ ଦେଇ ୩ଟି ୱିକେଟ୍ ନେଇଥିଲେ। ୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ପୁଣି ଦ୍ୱିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସାଇମ ଆୟୁବ(୬ ରନ) ଓ ଅଧିନାୟକ ସଲମାନ ଆଘା(୪ ରନ) ପାଭିଲିୟନ ଫେରିଥିଲେ। ନିଜର ଖରାପ ଫର୍ମ ବଜାୟ ରଖି ବାବର ଆଜମ(୫ ରନ) ଅକ୍ଷରଙ୍କ ବଲରେ ବୋଲ୍ଡ ହୋଇଥିଲେ। ୩୪ ରନରେ ୪ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ପାକିସ୍ତାନ। ଉସ୍ମାନ ଖାନଙ୍କୁ ବାଦ ଦେଲେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଉସ୍ମାନ ୩୪ ବଲରୁ ୪୪ ରନ କରିଥିଲେ। ମହମ୍ମଦ ନୱାଜ ୪ ରନ ଫହୀମ ଅଶ୍ରଫ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ୬୧ ରନରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ୱିତୀୟ ୱିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଇଶାନ କିଶନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇଶାନ ୪୦ ବଲରୁ ୧୦ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ । ତିଳକ ବର୍ମା ୨୪ ବଲରୁ ୧୫ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ ହେଁ ମନ୍ଥର ପିଚ୍ ପାଇଁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ । ଶିବମ ଦୁବେ ୧୭ ବଲରୁ ୨୭ ରନ କରିଥିଲେ। ରିଙ୍କୁ ସିଂ ୪ ବଲରୁ ୧୧ ରନ କରି ଅପରାଜିତ ଥିଲେ ।
