ଗୌହାଟୀ: ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା। ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟ ଭୂପେନ କୁମାର ବୋରାହ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ପିସିସି ସଭାପତି ତଥା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଫେବ୍ରୁଆରୀ ୧୮ ଓ ୧୯ ତାରିଖରେ ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତ ପୂର୍ବରୁ ତାଙ୍କ ଇସ୍ତଫା ରାଜନୈତିକ ମହଲାରେ ଚର୍ଚ୍ଚାର ବିଷୟ ହୋଇଛି। ଭୂପେନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି। ଭୂପେନ ତାଙ୍କ ଚିଠିରେ ହାଇକମାଣ୍ଡଙ୍କୁ ଜଣାଇଛନ୍ତି ଯେ ତାଙ୍କୁ ଦଳୀୟ ନେତୃତ୍ୱ ଅଣଦେଖା କରୁଛନ୍ତି ଏବଂ ରାଜ୍ୟ ଶାଖାରେ ତାଙ୍କୁ ତାଙ୍କର ପ୍ରାପ୍ୟ ଦିଆଯାଉନାହିଁ। ସେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଦଳ ଯେଭଳି କାର୍ଯ୍ୟ କରୁଛି, ତାହା ତାଙ୍କ ଆତ୍ମସମ୍ମାନ ଏବଂ ମର୍ଯ୍ୟାଦାକୁ ପ୍ରଭାବିତ କରିଛି। ଭୂପେନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସେ ୧୯୯୪ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳକୁ ୩୨ ବର୍ଷ ଦେଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ ସହ ବାର୍ତ୍ତାଳାପ ପରେ ଭୂପେନ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଭୂପେନଙ୍କ ସହ ରାହୁଲ ୧୫ ମିନିଟ୍ କାଳ କଥାବାର୍ତ୍ତା ହୋଇଥିଲେ।ତେବେ ଭୂପେନ ଇସ୍ତଫା ପ୍ରତ୍ୟାହାର କଥାକୁ ଅସ୍ୱୀକାର କରିଛନ୍ତି। ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ହାଇକମାଣ୍ଡଙ୍କୁ ଅଧିକ ସମୟ ମାଗିଥିବା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଆସାମ ପିସିସି ମୁଖ୍ୟ ଗୌରବ ଗାଗୋଇ ଓ ଆସାମ ପିସିସି ସାଧାରଣ ସଂପାଦକ ଜିତେନ୍ଦ୍ର ସିଂହ ଭୂପେନଙ୍କୁ ନିଷ୍ପତ୍ତିରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି।
