ପୁରୀ: ସାର୍ଟ ବୋତାମରେ ତିଆରି ହୋଇଛି ମହାପ୍ରଭୁଙ୍କ ଭବ୍ୟ ତିନି ରଥ। ପ୍ରାୟ ୫ ହଜାର ୭ଶହ ୨୦ଟି ବୋତାମ ବ୍ୟବହାର କରି ଦୁଇ ଫୁଟ୍ ଉଚ୍ଚର ଏହି ଅନନ୍ୟ ରଥ ନିର୍ମାଣ କରି ଚର୍ଚ୍ଚାରେ ରହିଛନ୍ତି ପିପିଲିର ଯୁବ କାରିଗର ଅକ୍ଷୟ ମହାପାତ୍ର। ଦେଢ଼ ମାସର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରସ୍ତୁତ ଏହି କଳାକୃତି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଥ ଉପରେ ବିରାଜମାନ ହୋଇଛନ୍ତି ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ। ପ୍ରଥମ ଦୃଷ୍ଟିରେ ଏହା ବୋତାମରେ ତିଆରି ବୋଲି ବିଶ୍ୱାସ କରିବା କଷ୍ଟକର। ଅତି ନିଖୁଣ କାରୁକାର୍ଯ୍ୟରେ ରଥର ଚକ, ଚାରମାଳ, ବାଇଶି ପାହାଚ, ପୋଟଳ ଓ ପାରାଭାଡ଼ି ପର୍ଯ୍ୟନ୍ତ ସୁନ୍ଦର ଭାବେ ଫୁଟାଇଛନ୍ତି ପିପିଲି ଦର୍ଜୀ ସାହିର ଯୁବ କାରିଗର ଅକ୍ଷୟ ମହାପାତ୍ର। ଏହି ଦୁଇ ଫୁଟ୍ ଉଚ୍ଚର ରଥ ତିଆରି ପାଇଁ ପ୍ରାୟ ୫ ହଜାର ୭ଶହ ୨୦ଟି ବୋତାମ ବ୍ୟବହାର ହୋଇଥିବା ବେଳେ, ଏହାକୁ ସମ୍ପୂର୍ଣ୍ଣ କରିବାକୁ ଦେଢ଼ ମାସରୁ ଅଧିକ ସମୟ ଲାଗିଛି। ତାଙ୍କ ସହ ତାଙ୍କ ମା ବି ଏହି ନିର୍ମାଣ ରେ ସହଯୋଗ କରିଛନ୍ତି । ଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତିଭାବରୁ ସେ ଏହି ରଥ ନିର୍ମାଣ କରି ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଉତ୍ସର୍ଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅକ୍ଷୟ ଅରୁଆ ଚାଉଳ, ଆଇସକ୍ରିମ କାଠି ଓ ଦିଆସିଲି କାଠି ଓ ସୋଲ ଆଦି ରେ ମହାପ୍ରଭୁଙ୍କ ରଥ ତିଆରି କରି ପ୍ରଶଂସା ସାଉଁଟିଥିଲେ। ତାଙ୍କର ଏହି ନିଆରା କଳାକୃତି ପାଇଁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରୁଛନ୍ତି। ଅକ୍ଷୟ ମହାପାତ୍ର କେବଳ ଜଣେ ଭଲ କାରିଗର ନୁହେଁ, ସେ ଜଣେ ନିଷ୍ଠାବାନ ଜଗନ୍ନାଥ ପ୍ରେମୀ। ପିପିଲିର ଶ୍ରୀ ପତିତପାବନ ଦେବ ମନ୍ଦିରରେ ତାଙ୍କ ପରିବାର ଦୀର୍ଘଦିନ ଧରି ସେବା କରିଆସୁଛନ୍ତି। ଭକ୍ତି ଓ ସୃଜନଶୀଳତାର ଏହି ଅନନ୍ୟ ସମନ୍ୱୟ ଅକ୍ଷୟଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି। କଳା, କାରିଗରୀ ଓ ଭକ୍ତିର ଅନନ୍ୟ ସଙ୍ଗମ ହୋଇଥିବା ଏହି ବୋତାମର ରଥ ଏବେ ସମସ୍ତଙ୍କ ମନ ଜିତୁଛି।
