ଗୁରୁଗ୍ରାମ: ଜଣେ ମହିଳା ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୁକ୍ତ କାର୍ ଚାଳକ କଲ୍ୟାଣ ବୈନସଲାଙ୍କୁ ମଙ୍ଗଳବାର ଦିନ ରାଜସ୍ଥାନର ରାଜଗଡ଼ରୁ ଗିରଫ କରାଯାଇଛି। ଘଟଣାର ଦୁଇ ଦିନ ପୂର୍ବେ ତାଙ୍କ ଦ୍ରୁତଗାମୀ “ସିଆଜ୍’ କାର୍ ମହିଳାଙ୍କ “ଅପ୍ରିଲିଆ ଆରଏସ୍ ୪୫୭’ ବାଇକ୍କୁ ଧକ୍କା ଦେଇଥିଲା, ଫଳରେ ସେ ରାସ୍ତାରେ ଘୋଷାଡ଼ି ହୋଇଯାଇଥିଲେ। ନିଜକୁ “ସିଆ’ ଭାବେ ପରିଚୟ ଦେଉଥିବା ବାଇକ ଆରୋହୀ ଶିବାନୀ ଚୌହାନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ବୈନସଲାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହା ପରେ ଗୁରୁଗ୍ରାମ ପୋଲିସ ଏହି ମାମଲାରେ ହତ୍ୟା ଉଦ୍ୟମ ଅଭିଯୋଗ ଯୋଡ଼ିଥିଲା, ଯେଉଁଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ଘଟଣାର ସ୍ୱତଃପ୍ରବୃତ୍ତ ସଂଜ୍ଞାନ ନେଇ ଗୁରୁଗ୍ରାମ ପୋଲିସ ପୂର୍ବରୁ ସେକ୍ଟର-୫୬ ଥାନାରେ ଏକ ମାମଲା ରୁଜୁ କରିଥିଲା। ଏସିପି (ମୁଖ୍ୟାଳୟ) ଅଭିଲକ୍ଷ ଯୋଶୀଙ୍କ ଅନୁଯାୟୀ, ଅଭିଯୁକ୍ତ ଚାଳକଙ୍କ ବିରୁଦ୍ଧରେ ଧାରା ୨୮୧ (ଅସାବଧାନତାର ସହ ଗାଡ଼ି ଚଳାଇବା) ଏବଂ ଧାରା ୧୨୫ (ଆଘାତ ପହଞ୍ଚାଇବା) ଅଧୀନରେ ଏଫଆଇଆର୍ ରୁଜୁ କରାଯାଇଥିଲା। ଭିଡିଓରେ ସିଆ ପ୍ରଶ୍ନ କରିଥିଲେ ଯେ ଯଦି ଦୁର୍ଘଟଣା ପାଇଁ ବୈନସଲା ପ୍ରକୃତରେ ଚିନ୍ତିତ ଥିଲେ, ତେବେ ତାଙ୍କ ବାଇକକୁ ଧକ୍କା ଦେବା ପରେ ସେ ଘଟଣାସ୍ଥଳରେ କାହିଁକି ଅଟକି ନ ଥିଲେ? ବୈନସଲା ଦାବି କରିଥିଲେ ଯେ ଏହା କେବଳ ଏକ ଦୁର୍ଘଟଣା ଥିଲା। ସିଆ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ସେ ଜଣେ ମହିଳା ବାଇକ ଆରୋହୀ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ତାଙ୍କୁ ଅଟକାଇବା ପାଇଁ ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ କରାଯାଇଥିଲା। ସେ ଦାବି କରିଥିଲେ ଯେ ତାଙ୍କ ଜୀବନ ଚାଲିଯାଇପାରିଥାନ୍ତା ଏବଂ ଦୁର୍ଘଟଣା ପରେ ସେ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଦେଖିବାକୁ ମଧ୍ୟ ଅଭିଯୁକ୍ତ ଚେଷ୍ଟା କରି ନଥିଲେ। ଇନଷ୍ଟାଗ୍ରାମ ବ୍ୟବହାରକାରୀ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳେ ଯେ କାର୍ ଚାଳକ ପ୍ରଥମେ ସିଆଙ୍କୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ। ଯେତେବେଳେ ସେ ଅଟକି ନଥିଲେ, ଅଭିଯୁକ୍ତ ନିଜ କାରକୁ ତାଙ୍କ ସ୍ପୋର୍ଟସ୍ ବାଇକ୍ ଆଡ଼କୁ ବୁଲାଇଥିଲେ ଏବଂ ପାର୍ଶ୍ୱରୁ ଧକ୍କା ଦେଇଥିଲେ। ଉକ୍ତ ଇନଷ୍ଟାଗ୍ରାମ ବ୍ୟବହାରକାରୀ କହିଛନ୍ତି ଯେ ଗୁରୁଗ୍ରାମ ମହିଳାଙ୍କ ପାଇଁ ଆଉ ସୁରକ୍ଷିତ ବୋଲି ତାଙ୍କୁ ଲାଗୁନାହିଁ। ଦିଲ୍ଲୀର ବାସିନ୍ଦା ସିଆ ଫ୍ୟାଶନ୍ ଡିଜାଇନିଂରେ ଏକ କୋର୍ସ ସମାପ୍ତ କରିଛନ୍ତି ଏବଂ କାଲକାଜିରୁ ୨୦୨୨ ମ୍ୟୁନିସିପାଲିଟି ନିର୍ବାଚନ ମଧ୍ୟ ଲଢ଼ିଥିଲେ। ତାଙ୍କ ପିତା ରୋଶନ ଚୌହାନ “ଆମ୍ ଆଦମୀ ପାର୍ଟି’ର ଜଣେ ସଦସ୍ୟ ଅଟନ୍ତି।

ଏହା ପୂର୍ବରୁ, ସିଆ କହିଥିଲେ ଯେ ରବିବାର ଦିନ ଗଲ୍ଫ କୋର୍ସ ରୋଡ୍ରେ ବାଇକ୍ ଆରୋହୀଙ୍କ ଏକ ଦଳ ସହିତ ନିଜର “ଆପ୍ରିଲିଆ ଆରଏସ୍ ୪୫୭’ ସ୍ପୋର୍ଟସ୍ ବାଇକ୍ ଚଳାଉଥିବା ସମୟରେ ଏହି ଘଟଣା ଘଟିଥିଲା। ସେ ଅଭିଯୋଗ କରିଥିଲେ ଯେ କାରରେ ଥିବା ବ୍ୟକ୍ତିମାନେ ତାଙ୍କ ନିକଟକୁ ଆସି ଅସଦାଚରଣ କରିବା ଆରମ୍ଭ କରିଥିଲେ। ସିଆ ଏହା ମଧ୍ୟ ଦାବି କରିଥିଲେ ଯେ କରରେ ଥିବା ବ୍ୟକ୍ତିମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ପରି ମନେ ହେଉଥିଲେ। ବାଇନ୍ସ୍ଲା ସ୍ୱୀକାର କରିଥିଲେ ଯେ ଦୁର୍ଘଟଣାଟି ତାଙ୍କ ଭୁଲ୍ ଯୋଗୁଁ ଘଟିଥିଲା, କିନ୍ତୁ ସେ ଜାଣିଶୁଣି ଧକ୍କା ଦେଇନଥିବା କହିଥିଲେ; ସେ କହିଥିଲେ ଯେ “ଏକ ୟୁ-ଟର୍ଣ୍ଣ ନିକଟରେ ମୋର ନିୟନ୍ତ୍ରଣ ହରାଇ ବସିଥିଲି’। “ପାଖାପାଖି ୨୦ରୁ ୨୨ ଜଣ ମୋଟରସାଇକେଲ୍ ଆରୋହୀ ମୋ ପାଖ ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲେ। ମୁଁ ଜାଣିପାରିନଥିଲି ଯେ ସେହି ବାଇକ୍ଗୁଡ଼ିକ ମଧ୍ୟରୁ ଗୋଟିଏ ଜଣେ ଯୁବତୀ ଚଳାଉଥିଲେ; ମୁଁ କେବଳ ତାଙ୍କୁ ଏବଂ ତାଙ୍କ ସହ ଥିବା ଯୁବକଙ୍କୁ ଧୀରେ ଗାଡ଼ି ଚଳାଇବାକୁ କହିଥିଲି। ସେମାନଙ୍କୁ ଯଦି ମୁଁ ସେହି ସମୟରେ ଅଟକି ଯାଇଥାନ୍ତି, ତେବେ ସେହି ଲୋକମାନେ ଆମକୁ ମାଡ଼ ମାରିଥାନ୍ତେ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ବୈନ୍ସଲା କହିଥିଲେ ଯେ ସେ ନିଜ ଭଉଣୀ ଏବଂ ଦୁଇଜଣ ଚଚେରା ଭାଇଙ୍କ ସହ ଯାତ୍ରା କରୁଥିଲେ।
