ଭୁବନେଶ୍ୱର(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ଏବଂ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ଦିନ ପ୍ରତିଟି ଗରିବ ଲୋକ ବିନା କୌଣସି ବାଧାରେ ମହାପ୍ରଭୁଙ୍କ ଚକାନୟନ ସହ ଆଖି ମିଳାଇ ପାରିବ ଏବଂ ଶ୍ରଦ୍ଧାରେ ଲୁହ ଝରାଇବ, ସେହିଦିନ ହିଁ ମୋର ମୁଖ୍ୟମନ୍ତ୍ରୀ ପଦ ସାର୍ଥକ ହେବ ଏବଂ ମୋ ପାଇଁ ସେହ ଭକ୍ତର ସନ୍ତୋଷ ହିଁ ହେବ ସର୍ବଶ୍ରେଷ୍ଠ ପୁରସ୍କାର। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି। ଆର୍ôଥକ ଦୁର୍ବଳ ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା’ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ଯୋଜନାର ହିତାଧିକାରୀମାନଙ୍କୁ ଏସି ବସରେ ଯାତାୟତ ସହ ପୁରୀ ବୃନ୍ଦାବତୀ ନିବାସରେ ରହଣି ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାବାସୀଙ୍କ ବହୁ ଆକାଂକ୍ଷିତ ମେଡିକାଲ କଲେଜର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ନବରଙ୍ଗପୁରର ପାତାଲଗୁଡାଠାରେ ୫୦ ଏକରରୁ ଉର୍ଦ୍ଧ୍ୱ ଜାଗା ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ଏମ୍.ବି.ବି.ଏସ୍ ସିଟ ଓ ୪୨୦ଟି ଶଯ୍ୟା ରହିବ। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପରେ ଜିଲ୍ଲାବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଁ ଆଉ ଜିଲ୍ଲା ବାହରକୁ ଯିବେ ନାହିଁ, ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଜିଲ୍ଲା ଭିତରେ ହିଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ୪୪୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୭୭ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୬୮ କୋଟି ଟଙ୍କା ମୂଲ୍ୟର ୧୧୨ଟି ପ୍ରକଳ୍ପର ଉଦ୍ଘାଟନ ଓ ୩୭୮ କୋଟି ଟଙ୍କା ମୂଲ୍ୟର ୬୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡକ, ସେତୁ, ହଷ୍ଟେଲ, ବନ ସୁରକ୍ଷା ସମିତି, ଅଙ୍ଗନବାଡି କେନ୍ଦ୍ର ଆଦି ଏହି ସବୁ ପ୍ରକଳ୍ପ ଗୁଡିକ ନବରଙ୍ଗପୁରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ହିତାଧିକାରୀଙ୍କୁ କିଟ୍ ବ୍ୟାଗ ପ୍ରଦାନ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଜୀବନରେ ସମସ୍ତଙ୍କ ଲକ୍ଷ୍ୟ ଥାଏ ଥରଟିଏ ଶ୍ରୀମନ୍ଦିର ଯାଇ ବାଇଶି ପାହାଚ ଚଢିବା ପାଇଁ। ସାଧାରଣ ଲୋକର ମନର ଭାବନାକୁ ରୂପାନ୍ତରିତ କରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା କରିଛୁ। ଏହି ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଯୋଜନା। ଜିଲ୍ଲାବାସୀଙ୍କ ପାଇଁ ମେଡିକାଲ କଲେଜ ଲାଇଫ୍ ଲାଇନ୍ ହେବ ବୋଲି ସେ କହିଥିଲେ
