ବାରିପଦା /କରଞ୍ଜିଆ ; କରଞ୍ଜିଆ ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀପଲଙ୍କ ପ୍ରବେଶ ପରେ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ଏହାରି ମଧ୍ୟରେ ସିଙ୍ଗଡ଼ା ସେକ୍ସନ ଅଧୀନ ଶୁକୃଳି ବ୍ଲକର ତୁଟିସାହି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ବୁଧବାର ବିଳମ୍ବିତ ରାତି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୩ ବର୍ଷର ପୁଅ ଗୁରୁତର ଆହତ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ସୂଚନା ଅନୁଯାୟୀ, ସୋମବାର ମଧ୍ୟରାତ୍ରିରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଏହି ହାତୀପଲଙ୍କ ମଧ୍ୟରୁ ରରୁଆଁ ସେକ୍ସନର ହାତୀବନ୍ଧ ଅଞ୍ଚଳରେ ୫ଟି, ଜାମୁନାଳିଆରେ ଏକ ଦନ୍ତା, ସିଙ୍ଗଡ଼ା ସେକ୍ସନର ହଳଦୀଆ ଅଞ୍ଚଳରେ ଏକ ଦନ୍ତା, ଦରି ସେକ୍ସନର ଶିରମଣିପୁର ନିକଟରେ ୧୭ଟି ଏବଂ ଦରି ସଂରକ୍ଷିତ ଜଙ୍ଗଲରେ ୪ଟି ହାତୀ ଅବସ୍ଥାନ କରୁଛନ୍ତି। ହାତୀପଲ ବିଭିନ୍ନ ଗ୍ରାମରେ ପ୍ରବେଶ କରି ଘର, ରୋଷେଇ ଘର ଓ ବିଦ୍ୟାଳୟ ପାଚେରୀ ଭାଙ୍ଗି କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ସମୟରେ ଗୋଠଛଡ଼ା ଦାନ୍ତଭଙ୍ଗା ଦନ୍ତା ତୁଟିସାହି ଗ୍ରାମରେ ପଶି ଲୁଲୁ ହେମ୍ବ୍ରମଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲା। ହଠାତ୍ ଆକ୍ରମଣରେ ଭୟଭୀତ ହୋଇ ଲୁଲୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ସୋମବାରୀ ହେମ୍ବ୍ରମ (୨୪) ନିଜ ୩ ବର୍ଷର ପୁଅ ଶିବ ହେମ୍ବ୍ରମ ପ୍ରାଣ ବଞ୍ଚାଇବାକୁ ଘରୁ ବାହାରକୁ ଦୌଡ଼ିଥିଲେ। ଏହି ସମୟରେ ଅନ୍ଧାରରେ ସୋମବାରୀ ସିଧାସଳଖ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ଦେବା ବେଳେ ଶିଶୁଟି ତାଙ୍କ କୋଳରୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ସୋମବାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁ ଶିବ ଗୁରୁତର ଆହତ ହୋଇଥିଲା। ଖବର ପାଇ ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାଟିତୁଣ୍ଡ ଓ ହୋହଲ୍ଲା କରି ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦେଇଥିଲେ। ପରେ ସୋମବାରୀ ଓ ଆହତ ଶିଶୁଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସୋମବାରୀଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଛେଦ ସମ୍ପନ୍ନ କରି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଗୁରୁତର ଆହତ ଶିଶୁ ଶିବକୁ ଉନ୍ନତ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସିଙ୍ଗଡ଼ା ସେକ୍ସନ ଅଧୀନ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ପ୍ରଚାର କରାଯାଉଛି। ବର୍ତ୍ତମାନ ଗୋଠଛଡ଼ା ଦନ୍ତାଟି ହଳଦୀଆ ସଂରକ୍ଷିତ ଜଙ୍ଗଲରେ ଥିବାରୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଥିବା ସିଙ୍ଗଡ଼ା ସେକ୍ସନ ବନପାଳ ଚନ୍ଦ୍ରଭାନୁ ମହାନ୍ତ ସୂଚନା ଦେଇଛନ୍ତି।
