ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଧାମ ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍?କୁ ଶୁକ୍ରବାର ସନ୍ଧ୍ୟାରେ ସମବାୟ, ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବୟନିକାର ପରିଚାଳନା ପରିଷଦ, ବୁଣାକାର ପ୍ରତିନିଧି ଓ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।ମନ୍ତ୍ରୀ ଶ୍ରୀ ବଳସାମନ୍ତ ନିଜସ୍ୱ ପାଣ୍ଠିରେ ନିର୍ମିତ ଏହି ମେଗା ଶୋରୁମ୍ ବୟନିକାର ଆର୍ôଥକ ସୁଦୃଢ଼ତା, ଦକ୍ଷ ପରିଚାଳନା ଏବଂ ହସ୍ତତନ୍ତ କ୍ଷେତ୍ରର ଉନ୍ନତି ପ୍ରତି ସଂସ୍ଥାର ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ବୋଲି କହିଥିଲେ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଏହି ପ୍ରମୁଖ ସ୍ଥାନରେ ସ୍ଥାପିତ ଶୋରୁମ୍ ମାଧ୍ୟମରେ ଦେଶ-ବିଦେଶରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଓ ବୟନିକାର ବିବିଧ ଉତ୍ପାଦକୁ ଏକାଠି ପାଇପାରିବେ। ଏହି ଶୋରୁମ୍ରେ ସମ୍ବଲପୁରୀ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର, ରେଡିମେଡ୍ ପୋଷାକ, ଗୃହ ସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତତନ୍ତ ଉତ୍ପାଦ ଉପଲବ୍ଧ ରହିବ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ହଜାର ହଜାର ବୁଣାକାରଙ୍କ ପାଇଁ ବ୍ୟାପକ ବଜାର ସୁଯୋଗ ସୃଷ୍ଟି ହେବା ସହ ସେମାନଙ୍କ ଆର୍ôଥକ ସଶକ୍ତିକରଣକୁ ଅଧିକ ଗତି ମିଳିବ ବୋଲି ସେ କହିଥିଲେ।

ରାଜ୍ୟ ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀଣ ବିକାଶ, ବୁଣାକାର ଓ କାରିଗରମାନଙ୍କ ଆର୍ôଥକ ଉନ୍ନତି ଏବଂ ଓଡ଼ିଶାର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି। ବୟନିକାର ବିପଣନ ବ୍ୟବସ୍ଥାର ଆଧୁନିକୀକରଣ, ନୂତନ ବଜାର ସୃଷ୍ଟି ଏବଂ ବୁଣାକାରଙ୍କ ଉତ୍ପାଦର ମୂଲ୍ୟ ସଂବର୍ଦ୍ଧନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି।ପୁରୀରେ ବୟନିକାର ଏହି ମେଗା ଶୋରୁମ୍ କେବଳ ଏକ ବିକ୍ରୟ କେନ୍ଦ୍ର ନୁହେଁ, ବରଂ ଓଡ଼ିଶାର ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ପରିଶ୍ରମ ଓ ଆମ ସାଂସ୍କୃତିକ ଗୌରବର ଏକ ଜୀବନ୍ତ ପ୍ରଦର୍ଶନୀ। ଦେଶ-ବିଦେଶରୁ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ନିକଟରୁ ଅନୁଭବ କରିବେ। ଏହି ଶୋରୁମ୍ ବୁଣାକାରଙ୍କ ପାଇଁ ଅଧିକ ବଜାର ସୃଷ୍ଟି କରିବ ଏବଂ ବୟନିକାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବୟନିକା ପ୍ରକାଶ ଚନ୍ଦ୍ର ମେହେର ପରିଚାଳନା ନିର୍ଦ୍ଦେଶିକା ବୟନିକା ଡ଼ . ନିବେଦିତା ପୃଷ୍ଟି, ଉପ-ନିର୍ଦ୍ଦେଶକ (ବୟନ ଶିଳ୍ପ) ଇନ୍ଦ୍ରମଣୀ କାଣ୍ଡି,ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ- ଜୟପ୍ରକାଶ ନାରାୟଣ ବିଶ୍ୱାଳ,ଉପ ନିର୍ଦ୍ଦେଶକ (ହସ୍ତଶିଳ୍ପ)- ବିଷ୍ଣୁପଦ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
