କଳାହାଣ୍ଡି: ଧର୍ମଗଡ଼ ସହରରେ ଦିନକୁ ଦିନ ଚୋରି ହେଉଥିବା ବେଳେ ଏବେ ପୁଣି ଚୋରି ହୋଇ ଥିବା ଘଟଣା ସାମ୍ନାକୁ ଆସିଛି ।ଧର୍ମଗଡ ପାରଦେଶ୍ୱର ମନ୍ଦିର ରାସ୍ତାରେ ବସବାସ କରୁଥିବା ଆଇନଜୀବୀ ବୁଲୁ ମୁଣ୍ଡଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକାର ଗ୍ରିଲ୍ କାଟି ଘରେ ପ୍ରବେଶ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ରୂପା ଗହଣା, ଅଳ୍ପ କିଛି ସୁନା ଅଳଙ୍କାର ଏବଂ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଆଇନଜୀବୀ ବୁଲୁ ମୁଣ୍ଡ ସମ୍ପ୍ରତି ବିଶାଖାପାଟଣାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ଘରେ ବୃଦ୍ଧା ମା’ ଓ ନାତୁଣୀ ରହୁଥିଲେ । ଘଟଣା ରାତିରେ ଉଭୟେ ଘରର ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ସୁଯୋଗ ନେଇ ବୁଲୁ ମୁଣ୍ଡଙ୍କ ଶୋଇବା ଘରର ଝରକା ଗ୍ରିଲ୍ କାଟି ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଆଲମିରା ଓ ବାକ୍ସ ଭାଙ୍ଗି ପ୍ରାୟ ଏକ କିଲୋଗ୍ରାମ ଓଜନର ପୁରୁଣା ରୂପା ଗହଣା, ଅଳ୍ପ କିଛି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଗୁରୁବାର ସକାଳେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଧର୍ମଗଡ଼ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଧର୍ମଗଡ଼ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିବା ବେଳେ ଚୋରଙ୍କ ସନ୍ଧାନ ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏପଟେ ଧର୍ମଗଡ଼ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ମାସ ଧରି ଚୋରି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଘର, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରି ଚୋରମାନେ ସକ୍ରିୟ ଥ?ିବା ଅଭିଯୋଗ ହେଉଥିଲେ ମଧ୍ୟ ଅନେକ ଘଟଣାରେ ଚୋରଙ୍କୁ ଧରିବାରେ ସଫଳତା ମିଳିନଥିବାରୁ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରୁଛନ୍ତି । ରାତ୍ରିକାଳୀନ ପେଟ୍ରୋଲିଂକୁ ଅଧିକ ସକ୍ରିୟ କରିବା, ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ଯାଞ୍ଚ, ଏବଂ ଚୋରି ଘଟଣାର ଶୀଘ୍ର ପର୍ଦ୍ଦାଫାସ ପାଇଁ ପୋଲିସ ପକ୍ଷରୁ ଅଧିକ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅଞ୍ଚଳବାସି ଦାବୀ କରିଛନ୍ତି । ଏହି ଘଟଣା ପରେ ଧର୍ମଗଡ଼ରେ ଆଇନ-ଶୃଙ୍ଖଳା ଓ ଜନସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଥ?ିବା ବେଳେ, ଚୋରି ଘଟଣା ରୋକିବା ପାଇଁ ପୋଲିସ ପକ୍ଷରୁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ଜୋର ଧରିଛି ।
