ବଲାଙ୍ଗିର: ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ପରିସରରେ ସ୍କୁଲ ଗେମ ଫେଡେରେସନ ଅଫ୍ ଇଣ୍ଡିଆ ଅଧିନସ୍ଥ ସିଆଇଏସ୍ସିଇ ଜୋନାଲ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରି ଅସିମ କୁମାର ଭୋଇ ମୁଖ୍ୟ ରେଫରି ଦାୟିତ୍ୱ ତୁଳାଇଥିବା ସହ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ତାଙ୍କର ନିରପେକ୍ଷ ନିର୍ଣ୍ଣୟ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ କରିଥିଲା ।

ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ବାଳିକା କ୍ୟୁରୁଗି ବିଭାଗରେ ସନ୍ଭି ପ୍ରଧାନ ସ୍ୱର୍ଣ୍ଣପଦକ, ଅଭିଳାଶା ଚୈାଧୁରି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ବାଳକ ଖିରୁଗି ବିଭାଗରେ ସିମାଦ୍ରି ଆଦେଶ ସ୍ୱର୍ଣ୍ଣ ପଦକ, ଅଙ୍କନ ଦୀପ ସ୍ୱର୍ଣ୍ଣପଦକ ଓ ଚର୍ଚ୍ଚିତ ସାହୁ ରୌପ୍ୟ ପଦକ ହାସଲ କରିଥିଲେ । ଛାତ୍ର ଛାତ୍ରୀଙ୍କ ମାନସିକ ଓ ଶାରିରୀକ ବିକାଶ ପାଇଁ ଟାଇକଣ୍ଡୋ ଭଳି ଆତ୍ମରକ୍ଷା କ୍ରୀଡାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସ୍କୁଲ ଅଧ୍ୟକ୍ଷା ସିଷ୍ଟର ଲୁସି କହିଥିଲେ । ବିଦ୍ୟାଳୟର ପିଇଟି ଦେବାଶିଷ ମହାପାତ୍ର ଓ ପ୍ରଭାତ ଦାଶ ପ୍ରତିଯୋଗିତାକୁ ସହଯୋଗ କରିଥିଲେ । ଏହି ଅବସରରେ ବିଜେତା କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା ।
