କଟକ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଚାଲାଣ ବା ଜରିମାନା ହୋଇଥିଲେ ଏହାକୁ ପଇଠ ନ କଲେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସି) ମିଳିପାରିବ ନାହିଁ ବୋଲି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ଚାଲାଣ ବାକି ଥିଲେ ବା ପଇଠ ହୋଇ ନ ଥିଲେ ପିୟୁସି ହୋଇପାରିବ କି’ ନାହିଁ ତାହା ଉପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ । ଆଜି ଏହା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ଯେ, କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୭ତାରିଖରେ କେନ୍ଦ୍ରୀୟ ମୋଟର ଯାନ ଆଇନରେ ଏକ ସଂଶୋଧନ ଅଣାଯାଇଛି ।ଏଥିରେ ପିୟୁସିକୁ ବାହାନ ପୋର୍ଟାଲ୍ରେ ସାମିଲ୍ କରାଯାଇଛି । ଯାହା ଫଳରେ ଚାଲାଣ ବାକି ଥିଲେ ପିୟୁସି ମିଳିପାରିବ ନାହିଁ । ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଭୁବନେଶ୍ୱରର ସ୍ନିଗ୍ଧା ପାତ୍ର ଏହି ମାମଲା ରୁଜୁ କରିଥିଲେ । ସେ ପିଟିସନ୍ରେ ଦର୍ଶାଇଥିଲେ ଯେ, ପ୍ରଦୂଷଣ ସାର୍ଟିଫିକେଟ୍ ସମୟ ସୀମା ଶେଷ ହୋଇଗଲେ ଗାଡ଼ି କ୍ରେତା ସାର୍ଟିଫିକେଟ୍ ନବୀକରଣ କରିବାକୁ ବାଧ୍ୟ ।ଯିଏ ଏହି ସାର୍ଟିଫିକେଟ୍ ହାସଲ ନ କରିବେ ସେମାନଙ୍କ ବିରୋଧରେ ମୋଟରଯାନ ଆଇନରେ ମାମଲା ରୁଜୁ କରାଯାଇ ପାରିବ । କିନ୍ତୁ ଚାଲାଣ ଥିଲେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ମିଳିବ ନାହିଁ ଓ ସାର୍ଟିଫିକେଟ୍ ନଥିଲେ ତେଲ ମିଳିବ ନାହିଁ ବୋଲି ଏସ୍ଟିଏର ବିଜ୍ଞପ୍ତି ବେଆଇନ ବୋଲି ପିଟିସନ୍ରେ ଯୁକ୍ତି ଦର୍ଶାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ପରିବହନ ବିଭାଗ ଏବଂ ଏସ୍ଟିଏ କମିସନରଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ଶୁଣାଣିରେ ପରିବହନ ବିଭାଗ ପକ୍ଷରୁ ପିୟୁସି ପାଇଁ ପେଟ୍ରୋଲ ମନା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଅଦାଲତଙ୍କୁ ଅବଗତ କରାଯାଇଥିଲା । ମନମୁଖି ଭାବେ ଜାରି କରାଯାଇଥିବା ଏଭଳି ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ କୋର୍ଟ ରଦ୍ଦ କରିବା ପୂର୍ବରୁ ହିଁ ବିଭାଗ ପ୍ରତ୍ୟାହାର ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିଥିଲା ।କିନ୍ତୁ ଚାଲାଣ ଥିଲେ ପିୟୁସି କିପରି ହୋଇପାରିବ ନାହିଁ ସେ ସଂକ୍ରାନ୍ତରେ ହାଇକୋର୍ଟ ପରିବହନ ବିଭାଗ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଆଜି ଏହା ଉପରେ ପରିବହନ ବିଭାଗ ଜବାବ ରଖି ଦର୍ଶାଇଥିଲା ଯେ, କେନ୍ଦ୍ର ସରକାର ଏହି ଆଇନରେ ଏକ ସଂଶୋଧନ ଆଣି ଜରିମାନା ଥିଲେ ପିୟୁସି ହୋଇପାରିବ ନାହିଁ ବୋଲି ନୂଆ ନିୟମ କରିଛନ୍ତି । ଏହି ଆଇନ ଆଧାରରେ ବର୍ତ୍ତମାନ ବାହାନ ପୋର୍ଟାଲରେ ପିୟୁସି ମିଳିବ । ବିଶେଷ କରି ଚାଲାଣ କଟିବାର ୯୦ଦିନ ଭିତରେ ଯଦି ଏହାକୁ ପଇଠ ନ କରନ୍ତି ବା କୋର୍ଟକୁ ନ ଯାଆନ୍ତି ତାହେଲେ ସେମାନେ ଏହି ପୁରୁଣା ଚାଲାଣ ଉପରେ ପିୟୁସି କରିପାରିବେ ନାହିଁ । ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍େଭାକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏବଂ ଏସ୍ଟିଏ ପକ୍ଷରୁ ଷ୍ଟାଣ୍ଡିଂ କାଉନ୍େସଲ୍ ପ୍ରଭାକର ବେହେରା ମାମଲା ପରିଚାଳନା କରୁଥିଲେ ।
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ, ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବକେୟା ଚାଲାଣ ପୈଠ କରିବାକୁ ହେବ














Leave a Reply