ହିନ୍ଦୋଳ: ବାର୍ଷିଙ୍ଗା ଗାଁରେ ଗତକାଲି ବିଳମ୍ବିତ ରାତିରେ ୧୨ ଟିକିଆ ଜଙ୍ଗଲୀ ହାତୀପଲଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଗାଁରେ ପଶି ଲୋକଙ୍କର ଘର ଭାଙ୍ଗିବା ସହ ତାଣ୍ଡବ ରଚିଛନ୍ତି। ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ଅନ୍ତର୍ଗତ ବାର୍ଷିଙ୍ଗା ଗାଁରେ ଗତକାଲି ବୁଧବାର ବିଳମ୍ବିତ ରାତିରେ ୧୨ ଟିକିଆ ଜଙ୍ଗଲୀ ହାତୀପଲ ପଶି ତାଣ୍ଡବଲୀଳା ରଚିଛନ୍ତି। ଗାଁର କୈଳାସ ନାଏକଙ୍କର ପରିବାରବର୍ଗ ସମସ୍ତେ ଘରେ ଶୋଇଥିବାବେଳେ ହାତୀପଲ ଆସି ତାଙ୍କର ଘର ଭାଙ୍ଗିଦେଇଥିଲେ । ଏହାଶୁଣି ପାରି ସୌଭାଗ୍ୟବଶତଃ ପରିବାରସମୂହ ସତର୍କତାର ସହ ଗାଁ ମଧ୍ୟକୁ ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘରେ ଥିବା ଧାନଚାଉଳ ହାତୀ ଖାଇଦେବା ସହ ଆସବାବପତ୍ର ଆଦି ଫିଙ୍ଗା ଫୋପଡା କରିଦେଇଥିଲେ । ପ୍ରାୟ ୪ ବଖରା ଘର ହାତୀପଲ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏ ସଂପର୍କରେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡ଼ିଛି। କୈଳାସ ଜଣେ ଗରିବଶ୍ରେଣୀ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ହାତୀର ଏପରି ତାଣ୍ଡବଲୀଳାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି।
