ପୁରୀ: ଶ୍ରୀମନ୍ଦିର ସଂଲଗ୍ନ ସାହିର ଏକ ସ୍ୱେରେଜ ନଳାରୁ ନବଜାତ ଶିଶୁର ମୃତ ଦେହ ପୁଲିସ ଜବତ କରିଛି। ଶ୍ରୀମନ୍ଦିର ନିକଟସ୍ଥ ମାର୍କଣ୍ଡେଶ୍ୱର ସାହି ଅନ୍ତର୍ଗତ ବଢ଼େଇ ଲେନ୍ ସ୍ଥିତ ସ୍ୱେରେଜ ନଳାରେ ନବଜାତ ଶିଶୁପୁତ୍ରଙ୍କ ମୃତଦେହ ଭାସୁଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବାସେଳୀ ସାହି ଥାନା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସଦର ହାସପାତାଳକୁ ପଠାଇଛି। ପ୍ରାଥମିକ ତଦନ୍ତରୁ ଏହା ଭ୍ରୁଣ ହତ୍ୟା ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ କିଏ ଏବଂ କାହିଁକି ଏଭଳି କାର୍ଯ୍ୟ କରିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଦୃଶ୍ୟ ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
