ନୂଆଦିଲ୍ଲୀ: ଲୋକସଭାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ବାଚସ୍ପତିଙ୍କ ଆଡ଼କୁ ପେପର ଚିରି ଫିଙ୍ଗିବା ମାମଲାରେ ମଙ୍ଗଳବାର ବିରୋଧୀ ଦଳର ୮ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କୁ ଚଳିତ ବଜେଟ୍ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକରୁ ଦୂରେଇ ରଖାଯାଇଛି। ନିଲମ୍ବିତ ସାଂସଦମାନେ ହେଲେ କଂଗ୍ରେସର ହିବି ଏଡେନ୍, ଅମରିନ୍ଦର ସିଂହ ରାଜା ୱାରିଂ, ମାନିକମ ଟାଗୋର, ଗୁରୁଜିତ୍ ସିଂହ ଆହୁଜା, କିରନ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲ, ଡିନ୍ କୁରିଆକୋସେ ଏବଂ ସିପିଏମର ଏସ୍. ଭେଙ୍କନେସନ୍। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଲୋକସଭାରେ ଦୁଇ ଦିନ ଧରି ହଟ୍ଟଗୋଳ ଲାଗି ରହିଛି। ରାହୁଲ ପୂର୍ବ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରବାଣେଙ୍କ ଅପ୍ରକାଶିତ ପୁସ୍ତକରେ ଥିବା ଭାରତ-ଚାଇନା ବିବାଦ ସଂପର୍କରେ ସଂଦଦରେ ବକ୍ତବ୍ୟ ରଖିଥିଲେ। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଲୋକସଭାକୁ ମୁଲତବୀ ରଖାଯାଇଥିଲା। ମଙ୍ଗଳବାର ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ରାହୁଲ ଗୃହରେ ବକ୍ତବ୍ୟ ରଖିବା ମାତ୍ରେ ହୋହଲା ହୋଇଥିଲା। ତାଙ୍କୁ ବକ୍ତବ୍ୟ ରଖିବାକୁ ଦିଆଯାଇ ନଥିଲା। ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଅପରାହ୍ଣରେ ବିରୋଧୀ ଦଳର ସାଂସଦମାନେ ବାଚସ୍ପତିଙ୍କ ଆଡକୁ ପେପର ଫିଙ୍ଗିଥିଲେ। ଏହି ଘଟଣାର ବିଜେପି ସାଂସଦମାନେ ତୀବ୍ର ବିରୋଧ କରିଥିଲେ। ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସଂପୃକ୍ତ ବିରୋଧୀଦଳର ସାଂସଦମାନଙ୍କୁ ଗୃହକାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ, ଯାହା ଧ୍ୱନି ମତରେ ଗୃହୀତ ହୋଇଥିଲା। ଏହି ଘଟଣା ପରେ ରାହୁଲଙ୍କ ନେତୃତ୍ୱରେ ବିରୋଧୀ ଦଳର ସାଂସଦମାନେ ସଂସଦ ବାହାରେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ରାହୁଲ ଏନେଇ ଲେକସଭା ବାଚସ୍ପତି ଓମ୍ ବିରଳାଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବକ୍ତବ୍ୟ ରଖିବାକୁ ନ ଦେବା ଗଣତନ୍ତ୍ରର ମୌଳିକ ଅଧିକାର ଉଲ୍ଲଂଘନ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଚର୍ଚ୍ଚାରୁ ବିରତ ରଖିବା ଉଦ୍ୟମ ଅଟେ।
ବଜେଟ୍ ଅଧିବେଶନ: ୮ ବିରୋଧୀ ଦଳ ସାଂସଦ ନିଲମ୍ବିତ













Leave a Reply