ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୁଧବାର ସକାଳେ ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ, ମହାପ୍ରଭୁଙ୍କ ଦର୍ଶନ

Spread the love

ପୁରୀ: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଅପରାହ୍ଣରେ ପୁରୀରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଶ୍ରୀମତୀ ମୁର୍ମୁ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସଦର ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂହ ପ୍ରମୁଖ ତାଙ୍କୁ ସେଠାରେ ସ୍ୱାଗତ କରିଥିଲେ। ଏହାପରେ ଶ୍ରୀମତୀ ମୁର୍ମୁଙ୍କ କାରକେଡ୍ ସୁରକ୍ଷା ବଳୟ ମଧ୍ୟରେ ସିଟି ରୋଡ ଦେଇ ସିଧାସଳଖ ଲୋକଭବନରେ ପହଞ୍ଚିଥିଲା। ସେଠାରେ ସେ ରାତ୍ରିଯାପନ କରିବେ। ବୁଧବାର ସକାଳେ ୭ଟାରେ ଶ୍ରୀମତୀ ମୁର୍ମୁ ବାଲିସାହିସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ଏହା ପରେ ସକାଳ ୭ଟା ୪୦ରେ ବଡ଼ଦେଉଳ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। କୌଳିକ ପଣ୍ଡା ତାଙ୍କୁ ମହାପ୍ରଭୁଙ୍କ ଦର୍ଶନରେ ସାହାଯ୍ୟ କରିବେ। ସକାଳ ୮ଟା ୨୦ ମିନିଟରେ ରାଷ୍ଟ୍ରପତି ଦର୍ଶନ ସାରି ଫେରିଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସକାଳ ୬ଟାରୁ ବଡ଼ଦେଉଳକୁ କୌଣସି ଭକ୍ତଙ୍କୁ ଛଡ଼ା ଯିବ ନାହିଁ। ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ଭକ୍ତଙ୍କୁ ବଡ଼ଦେଉଳ ଛଡ଼ାଯିବ।

Leave a Reply

Your email address will not be published. Required fields are marked *

error: Content is protected !!