ପୁରୀ: ଅବିରତ ୯୭ ଦିନ ଧରି ଚାଲିଥିବା ଏହି ସଚେତନତା ପଦଯାତ୍ରା ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖୁଛି। ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, କୌଣସି ବ୍ୟକ୍ତି ବିରୋଧୀ ଆନ୍ଦୋଳନ ମଧ୍ୟ ନୁହେଁ। ଏହା ହେଉଛି ସେହି ଭକ୍ତଙ୍କ ନୀରବ ଆର୍ତ୍ତନାଦ, ଯିଏ ନିଜ ପ୍ରଭୁଙ୍କ ଦ୍ୱାରରେ ଠିଆ ହୋଇ ମଧ୍ୟ ନିଜକୁ ଅବହେଳିତ ମନେ କରୁଛି।ଗତ ୧ ଏପ୍ରିଲ ଉତ୍କଳ ଦିବସରୁ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ପ୍ରଶ୍ନ ଉଠାଉଛି।

ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ କିପରି ଭେଦଭାବ ରହିପାରେ ?” ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ; ଏହା ପ୍ରତ୍ୟେକ ବିବେକବାନ ମଣିଷଙ୍କ ଅନ୍ତରାତ୍ମାକୁ ଉଦ୍ଦେଶ୍ୟ କରି ଏକ ନୈତିକ ଆହ୍ୱାନ।ପ୍ରତ୍ୟେକ ପଦକ୍ଷେପରେ ରହିଛି ଅଗଣିତ ଭକ୍ତଙ୍କ ଆଶା, ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନିରେ ରହିଛି ହଜାର ହଜାର ଲୋକଙ୍କ ଅକୁହା ବେଦନା। ଏହି ପଦଯାତ୍ରା ଆଜି ପୁରୀବାସୀଙ୍କ ଆତ୍ମସମ୍ମାନ, ଆସ୍ଥା ଓ ସାମ୍ବିଧାନିକ ଅଧିକାରର ପ୍ରତୀକରେ ପରିଣତ ହୋଇଛି। ଜଗନ୍ନାଥ ସଂସ୍କୃତି ଆମକୁ ଶିଖାଏ—ସମତା, ସହଅସ୍ତିତ୍ୱ ଓ ସର୍ବଜନୀନତା। ମହାପ୍ରସାଦରେ ଯେଉଁଠାରେ ଜାତି, ବର୍ଣ୍ଣ, ଧନୀ-ଗରିବର କୌଣସି ଭେଦ ନାହିଁ, ସେଠାରେ ପ୍ରଭୁଙ୍କ ଦର୍ଶନରେ କାହିଁକି ବିଶେଷାଧିକାର? ଭଗବାନଙ୍କ ଦ୍ୱାରରେ ଭିଆଇପି ସଂସ୍କୃତି ଜଗନ୍ନାଥ ଦର୍ଶନର ମୂଳ ଚେତନା ସହ ସଙ୍ଗତିପୂର୍ଣ୍ଣ ନୁହେଁ।ସେଥିପାଇଁ ଏହି ପଦଯାତ୍ରା କେବଳ ପ୍ରବେଶ ଅଧିକାରର ଦାବି ନୁହେଁ; ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସାର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରତିବାଦ।

ଆଜି ଏହି ପଦଯାତ୍ରାରେ ଯୁବଶକ୍ତି ଠାରୁ ବୃଦ୍ଧ, ନାରୀଠାରୁ ପୁରୁଷ—ସମସ୍ତେ ସାମିଲ ହୋଇ ଏକ ସ୍ୱରରେ କହୁଛନ୍ତି ପ୍ରଭୁ, ଆମେ କୌଣସି ବିଶେଷ ସୁବିଧା ମାଗୁନାହୁଁ; କେବଳ ଆମ ପୂର୍ବପରି ଦର୍ଶନର ଅଧିକାର ଫେରାଇ ଦିଅ। ତୁମ ଦ୍ୱାରରେ କୌଣସି ଭକ୍ତ ନିଜକୁ ପର ବୋଲି ଅନୁଭବ ନ କରୁ। ୯୭ ଦିନ ବିତିଯାଇଛି, କିନ୍ତୁ ଏହି ପଦଯାତ୍ରାର ସଂକଳ୍ପ ଦୁର୍ବଳ ହୋଇନାହିଁ। ବରଂ ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଦୃଢ଼ ଓ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏଠାରେ ଅଶ୍ରୁ ହିଁ ପ୍ରାର୍ଥନା, ବେଦନା ହିଁ ଶକ୍ତି ଓ ଭକ୍ତି ହିଁ ଅହିଂସକ ପ୍ରତିବାଦର ଭାଷା।ସୋମବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର,ଚକ୍ରଧର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ମନୋରଞ୍ଜନ ରଣସିଂହ, ସୁବାଷ ପଟ୍ଟନାୟକ, ନୃସିଂହନାଥ ନାୟକ, ଯାଦବାନନ୍ଦ ରାୟ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି,ଅରୁଣା ପଟ୍ଟନାୟକ, ମମତା ଦାସ, ବନିତା ଦିକ୍ଷୀତ,ମମତା ସ୍ୱାଇଁ, କିଶୋର ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ସାହୁ, ଲିଙ୍ଗରାଜ ସାହୁ, ରାଜା ମହାନ୍ତି, ଅମୁଲ୍ୟ ଦାସ, ମାନସ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଥିଲେ,

ଏହି ଆନ୍ଦୋଳନ ସେ ପର୍ଯ୍ୟନ୍ତ ଅବ୍ୟାହତ ରହିବ, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନ ହୋଇଛି। ଏହା କାହା ବିରୋଧରେ ନୁହେଁ; ଏହା ନ୍ୟାୟ, ସମତା, ମାନବିକତା ଓ ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ଅଭିଯାନ।ଶେଷରେ ଏକ ନୀରବ ପ୍ରଶ୍ନ—ଯଦି ଜଗନ୍ନାଥ ସତରେ ସାରା ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ? ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ। ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।
