ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ମାଲାକେରୀ ୧୩ ନମ୍ବର ୱାର୍ଡ ୩୫ ରୁ ଉର୍ଦ୍ଧ୍ୱ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ହୋଇଥିଲା। କିନ୍ତୁ ତାହା ଦୀର୍ଘ ଏକ ବର୍ଷ ହେଲା ଅଚଳ ଅବସ୍ଥାରେ ଟ୍ରାନ୍ସଫର୍ମର ପଡ଼ି ରହିଛି। ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ ଦେଇନାହାନ୍ତି। ଯାହା ଫଳରେ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରାତିରେ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢ଼ାରେ ଅସୁବିଧା ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ପ୍ରବାହ କାରଣରୁ ଲୋକମାନେ ବିଦ୍ୟୁତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜକୁ ପ୍ରାୟ ଏକ ମାସ ବିତିଯାଇଥିବା ଏହି ଅଚଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର କୌଣସି କାମରେ ଆସୁନଥିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇ ହତାଶ ହୋଇଥିବା ଅଭିଯୋଗ କରିଛନ୍ତି। ଗାଁ ଲୋକମାନଙ୍କ କହିବା ଅନୁସାରେ ଆମେ ୩୫ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ମାଲାକେରୀ ୧୩ ନମ୍ବର ୱାର୍ଡ ରେ ବସବାସ କରିଅଛୁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସିଦ୍ଧାନ୍ତ ସାହୁ, ଗଣେଶ୍ୱର ମଲ୍ଲିକ, ରଞ୍ଜନ କହଁର,ପନାରୀ କହଁର, ଦାଶରଥି କହଁର,ବିପ୍ର କହଁର,ଜୁମାରା ମଲ୍ଲିକ, ଉଦ୍ଧବ ମଲ୍ଲିକ ଦାବି କରିଛନ୍ତି। ଗାଁ ଲୋକ କହିବା ଅନୁଯାୟୀ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏଥିପାଇଁ କୌଣସି ଅସୁବିଧା ହୁଏ ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ବିଭାଗୀୟ ଅଧିକାରୀ।
